ଆଗରୁ ହାରିଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ନୂଆଦିଲ୍ଲୀ: ଚଳିତ ହିମାଚଳପ୍ରଦେଶରେ ବହୁ ଚର୍ଚ୍ଚିତ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପ୍ରେମକୁମାର ଧୁମାଲ ହାରିଯିବାଟା କିଛି ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଏମିତି ଅନେକ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବିଭିନ୍ନ ରାଜ୍ୟର ଭୋଟରଙ୍କ ପାଖରେ ପରାଜୟ ସ୍ୱୀକାର କରିବାର ଅନେକ ନଜିର ରହିଛି।
ଗତ ୫ ବର୍ଷ ଭିତରେ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ନିର୍ବାଚନକୁ ଲକ୍ଷ୍ୟ କଲେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତଙ୍କ ନାମ ପ୍ରଥମେ ଆସିବ। ୨୦୧୩ ଦିଲ୍ଲୀ ନିର୍ବାଚନରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଥିବା ତଥା ପ୍ରାର୍ଥୀ ଶିଲା ଶୋଚନୀୟ ଭାବେ ପରାସ୍ତ ହୋଇଥିଲେ। ସେହିପରି ୨୦୧୪ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଅର୍ଜ୍ଜୁନ ମୁଣ୍ଡାଙ୍କୁ ମଧ୍ୟ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା। ପୁଣି ୨୦୧୫ ଦିଲ୍ଲୀ ନିର୍ବାଚନରେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିରଣ ବେଦୀଙ୍କୁ ମଧ୍ୟ ଅନୁରୂପ ଭାବେ ହାରିବାକୁ ପଡ଼ିଥିଲା। ଚଳିତବର୍ଷ ପ୍ରଥମ ଭାଗରେ ଉତ୍ତରାଖଣ୍ଡ ଓ ଗୋଆ ନିର୍ବାଚନରେ ମଧ୍ୟ ଆଶାୟୀଙ୍କ ସମଦଶା ଦେଖିବାକୁ ମିଳିଥିଲା। ଉତ୍ତରାଖଣ୍ଡରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହରୀଶ ରାଓ୍ଵତଙ୍କୁ ଖିଛା ଓ ହରିଦ୍ୱାର ପରି ଦୁଇ ଦୁଇଟା ଆସନରୁ ପରାଜୟ ସ୍ୱାଦ ଚାଖିବାକୁ ପଡ଼ିଥିଲା। ସେହିପରି ଗୋଆରେ ମଧ୍ୟ ବିଜେପିର ମୁଖ୍ୟମନ୍ତ୍ରୀ ଆଶାୟୀ ଲକ୍ଷ୍ମୀକାନ୍ତ ପର୍ସେକରଙ୍କୁ ପରାଜୟ ସ୍ୱୀକାର କରିବାକୁ ପଡ଼ିଥିଲା।

ସମ୍ବନ୍ଧିତ ଖବର