ଆମେଥିରୁ ହାରିଲେ ରାହୁଲ: ଓାୟନାଡ଼ରୁ ରେକର୍ଡ ଭୋଟରେ ଜିତିଲେ

୧୯୬୭ରୁ କଂଗ୍ରେସ ଆମେଥିରୁ ୨ଥର ହାରିଛି

ନୂଆଦିଲ୍ଲୀ: କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ତାଙ୍କ ପାରମ୍ପରିକ ଆସନ ଆମେଥିରୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କଠାରୁ ହାରି ଯାଇଛନ୍ତି। ଆନୁଷ୍ଠାନିକ ଭାବେ ଫଳାଫଳ ଘୋଷଣା ହୋଇ ନଥିଲେ ମଧ୍ୟ ରାହୁଲ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କ ପରାଜୟ ଏବଂ ସ୍ମୃତିଙ୍କ ବିଜୟ ନେଇ ଘୋଷଣା କରିଛନ୍ତି। ସ୍ମୃତିଙ୍କୁ ସେ ଏଥିପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।
ନିର୍ବାଚନ ଆୟୋଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସ୍ମୃତିଙ୍କ ଠାରୁ ରାହୁଲ ୪୯,୭୦୨ ଖଣ୍ଡ ଭୋଟରେ ପଛରେ ଅଛନ୍ତି। ସ୍ମୃତିଙ୍କୁ ୪,୨୧, ୦୫୦ ଖଣ୍ଡ ଭୋଟ ମିଳିଥିବା ବେଳେ ରାହୁଲଙ୍କୁ ୩,୭୧,୩୪୮ ଖଣ୍ଡ ଭୋଟ ମିଳିଛି।
ଅନ୍ୟପକ୍ଷରେ ରାହୁଲ ଗାନ୍ଧୀ କେରଳର ଓାୟନାଡ଼ ଆସନରୁ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ତଥା ସିପିଆଇର ପି ପି ସୁନୀରଙ୍କୁ ୪ ଲକ୍ଷ ୩୧ ହଜାରରୁ ଅଧିକ ଭୋଟରେ ହରାଇଛନ୍ତି। ନିର୍ବାଚନ କମିସନ ପକ୍ଷରୁ ରାତି ପ୍ରାୟ ୧୦ଟା ସୁଦ୍ଧା ପ୍ରକାଶିତ ତଥ୍ୟରୁ ଜଣାଯାଇଛି, ରାହୁଲ ମୋଟ ୭ ଲକ୍ଷ ୬୩୬୭ ଖଣ୍ଡ ଭୋଟ ପାଇଥିବାବେଳେ ସୁନୀର ୨ ଲକ୍ଷ ୭୪ ହଜାର ୫୯୭ ଖଣ୍ଡ ଭୋଟ ପାଇଛନ୍ତି। କେରଳରେ ରାହୁଲଙ୍କର ଏହା ସର୍ବକାଳୀନ ସର୍ବବୃହତ୍ ବ୍ୟବଧାନର ବିଜୟ। ଏହା ପୂର୍ବରୁ ୨୦୧୪ରେ ଆଇୟୁଏମଏଲର ଇ ଅହମ୍ମଦ ମାଲାପୁରମ ଆସନରୁ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀଙ୍କୁ ୧, ୯୪, ୭୩୯ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଥିଲେ। ଗତ ୨୦୧୪ ସାଧାରଣ ନିର୍ବାଚନରେ ଆମେଥି ଆସନରୁ ରାହୁଲଙ୍କ ସହିତ ସ୍ମୃତି ନିର୍ବାଚନ ଲଢ଼ି ହାରି ଯାଇଥିଲେ। ଏଥିସହିତ ଲୋକସଭା ନିର୍ବାଚନରେ ଦଳର ପରାଜୟକୁ ରାହୁଲ ସ୍ବୀକାର କରିଛନ୍ତି। ପରାଜୟର ଦାୟିତ୍ବ ମଧ୍ୟ ରାହୁଲ ନିଜ ମୁଣ୍ଡକୁ ନେଇଛନ୍ତି। ସାମ୍ବାଦିକମାନଙ୍କୁ ଉଦବୋଧନ ଦେଇ ରାହୁଲ କହିଛନ୍ତି, ଏହି ନିର୍ବାଚନ ଦୁଇଟି ବିଚାରଧାରାର ଲଢ଼େଇ ଥିଲା। ଆମେ ଦୁଇଜଣ ଦୁଇଟି ପୃଥକ ଚିନ୍ତାଧାରାର ବ୍ୟକ୍ତି। ଏହା ମାନିବାକୁ ମଧ୍ୟ ହେବ ଚଳିତ ନିର୍ବାଚନରେ ନରେନ୍ଦ୍ର ମୋଦୀଙ୍କ ସମେତ ବିଜେପିର ବିଜୟ ହୋଇଛି। ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ନିର୍ବାଚନ ଫଳାଫଳକୁ ନେଇ କୌଣସି ପ୍ରକାର ପ୍ରଶ୍ନ ଉଠାଇବାକୁ ରାହୁଲ ମନା କରିଦେଇଛନ୍ତି। ଜନାଦେଶକୁ ସେ ସମ୍ମାନ ଦେଉଛନ୍ତି ବୋଲି ରାହୁଲ କହିଛନ୍ତି।

ସମ୍ବନ୍ଧିତ ଖବର