ପରୀକ୍ଷାର ଦୁଇ ମାସ ପୂର୍ବରୁ ଜାଣିଲେ ହୋଇଛି ରକ୍ତକର୍କଟ; ଚିକିତ୍ସା ସହ ଜାରି ରଖିଲେ ପାଠପଢ଼ା, ରଖିଲେ ୯୫ ପ୍ରତିଶତ ମାର୍କ

ନୂଆଦିଲ୍ଲୀ : ଗତକାଲି ସିବିଏସ୍‌ଇ ୧୦ ଶ୍ରେଣୀର ଫଳ ପ୍ରକାଶ ପାଇଥିଲା । ଯେଉଁଥିରେ କିଛି ପିଲା ପାସ୍‌ ହେବା ସହ କିଛି ପିଲା ଅସଫଳ ମଧ୍ୟ ହୋଇଥିଲେ । କିଛି ଟପ୍ପର ହେବା ପରେ ନିଜ ଅଭିଜ୍ଞତା ବିଷୟରେ ସମସ୍ତଙ୍କୁ ଜଣାଇଥିଲେ । କିନ୍ତୁ ଏବେ ଟପ୍ପରଙ୍କ ଅପେକ୍ଷା ଦିଲ୍ଲୀର ମୟୁର ବିହାରର ପ୍ରିୟେଶ ତୟାଲ ଏବେ ଚର୍ଚ୍ଚାରେ ଥିବା ଜଣା ପଡ଼ିଛି । ରକ୍ତ କର୍କଟ ଭଳି ରୋଗର ଶିକାର ହୋଇ ମଧ୍ୟ ସିବିଏସ୍‌ଇ ୧୦ଶ୍ରେଣୀ ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ରଖିଥିବାରୁ ଏବେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।

ପ୍ରିୟେଶ୍‌ ପରୀକ୍ଷାର ଦୁଇ ମାସ ପୂର୍ବରୁ ତାଙ୍କୁ ରକ୍ତ କର୍କଟ ହୋଇଛି ବୋଲି ଜାଣି ଭାଙ୍ଗି ଯାଇ ନଥିଲେ ବରଂ ଚିକିତ୍ସା ସହ ପାଠ ପଢ଼ି ପରୀକ୍ଷା ଦେବେ ବୋଲି ମନସ୍ଥ କରିଥିଲେ । ତାଙ୍କର ଏହି ଦୃଢ଼ ମନୋବଳକୁ ଦେଖି ଚିକିତ୍ସା କରୁଥିବା ଡ଼ାକ୍ତର ଏବଂ ତାଙ୍କ ମାତା-ପିତା ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ ।

ସୂଚନା ମୁତାବକ, ମୟୁର ବିହାରର ଫେଜ୍‌-୧ରେ ରହୁଥିବା ପ୍ରିୟେଶ ଏଏସ୍‌ଏସ୍‌ ପବ୍ଲିକ୍‌ ସ୍କୁଲର ଛାତ୍ର ବୋଲି ଜଣାପଡ଼ିଛି । ଡ଼ିସେମ୍ବର ୨୦୧୭ରେ ପ୍ରି-ବୋର୍ଡ଼ ପରୀକ୍ଷା ସମୟରେ ସେ ରକ୍ତ କର୍କଟ ଭଳି ରୋଗରେ ଆକ୍ରାନ୍ତ ବୋଲି ଜାଣିବାକୁ ପାଇଥିଲେ । କିନ୍ତୁ ସେ ରୋଗ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ନିଜ ପରୀକ୍ଷା ଉପରେ ଧ୍ୟାନ ଦେଇଥିଲେ । ଏଥିରେ ତାଙ୍କ ପରିବାର ଲୋକମାନେ ମଧ୍ୟ ତାଙ୍କୁ ସାହାଯ୍ୟ କରିଥିଲେ । ଅନ୍ୟ ପକ୍ଷରେ ଚିକିତ୍ସା ଆରମ୍ଭ ହେବାରୁ ସେ ଜାନୁଆରୀ ମାସଠାରୁ ସ୍କୁଲ ଯିବା ବନ୍ଦ କରି ଦେଇଥିଲେ । ଡ଼ାକ୍ତରଖାନାରେ ଚିକିତ୍ସା ସହ ସେ ନିଜ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତି କରିଥିଲେ । ସ୍କୁଲରେ ଶିକ୍ଷକ କ’ଣ ପଢ଼ାଇଲେ ସେ ବିଷୟରେ ସେ ହ୍ଵାଟ୍‌ସ୍‌ଆପ୍‌ ମାଧ୍ୟମରେ ନିଜ ସାଙ୍ଗମାନଙ୍କୁ ପଚାରି ବୁଝୁଥିଲେ । ପରୀକ୍ଷା ସମୟରେ ତାଙ୍କ ଦେହ ଏତେ ଖରାପ ହୋଇ ଯାଇଥିଲା କି ତାଙ୍କୁ ପରୀକ୍ଷା କେନ୍ଦ୍ରରୁ ଡ଼ାକ୍ତରଖାନା ନିଆଯାଇଥିଲା । ଏଭଳି ଗମ୍ଭୀର ପରିସ୍ଥିତିରେ ମଧ୍ୟ ସେ ନ ହାରି ପରୀକ୍ଷାରେ ୯୫ ପ୍ରତିଶତ ମାର୍କ ଆଣିବାରେ ସଫଳ ହୋଇଛନ୍ତି । ପ୍ରିୟେଶଙ୍କ ଏହି କାହାଣୀ ଅନେକଙ୍କୁ ଅନୁପ୍ରାଣିତ କରିବ ନିଶ୍ଚୟ ।

ସମ୍ବନ୍ଧିତ ଖବର