ନୂଆଦିଲ୍ଲୀ: ସ୍ପାଇସ୍ ଜେଟ୍ ବୋଇଂ ୭୩୭ ମାକ୍ସ ବିମାନଟି ଦିଲ୍ଲୀରୁ ଦୁବାଇ ଯାଉଥିବା ବେଳେ ଇନ୍ଧନ ବ୍ୟବସ୍ଥାରେ ତ୍ରୁଟି ଦେଖାଯିବାରୁ ଏହା ପାକିସ୍ତାନ ଆଡ଼କୁ ଦିଗ ପରିବର୍ତ୍ତନ କରି କରାଚୀରେ ଜରୁରୀ ଅବତରଣ କରିବାକୁ ବାଧ୍ୟ ହୋଇଛି। ଅନ୍ୟପକ୍ଷରେ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସ୍ ଜେଟ୍ର ଆଉ ଏକ ବିମାନ କ୍ୟୁ୪୦୦ (ଭିଟି-ଏସ୍ୟୁଭି) ୨୩,୦୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିବା ବେଳେ ଏହାର ସହ-ପାଇଲଟ୍ଙ୍କ ପଟର ୱିଣ୍ଡ୍ସିଲ୍ଡରେ ଫାଟ ଦେଖାଦେଇଥିଲା। ମାତ୍ର ଏହା ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳ ମୁମ୍ବାଇରେ ନିରାପଦରେ ଅବତରଣ କରିବାରେ ସକ୍ଷମ ହୋଇଛି।
ସୂଚନାଯୋଗ୍ୟ ଦିଲ୍ଲୀରୁ ଦୁବାଇଗାମୀ ବୋଇଂ ୭୩୭ ମାକ୍ସ ବିମାନର ବୈମାନିକ ଦେଖିଲେ ଯେ ଇନ୍ଧନ ଟାଙ୍କିରୁ ଇନ୍ଧନ ଅସ୍ବାଭାବିକ ଭାବେ ଖାଲି ହେବାରେ ଲାଗିଛି। ତେଣୁ ପାଇଲଟ୍ ବିମାନକୁ କରାଚୀ ଆଡ଼େ ମୁହାଇଁଥିଲେ ଏବଂ ସେଠାରେ ନିରାପଦରେ ଅବତରଣ କରାଇଥିଲେ। କିନ୍ତୁ ପରେ ଯାଞ୍ଚବେଳେ ତେଲ ଟାଙ୍କିରୁ କୌଣସି ଲିକ୍ ହେବା ଦେଖିବାକୁ ମିଳି ନ ଥିଲା। ତେଣୁ କେଉଁ କାରଣରୁ ତେଲ କମିଲା ତାହାର ଅଧିକ ପରୀକ୍ଷା-ନିରୀକ୍ଷା କରାଯାଉଛି। ତେବେ ଏହାର ଇଣ୍ଡିକେଟର ଠିକ୍ଭାବେ କାମ କରୁ ନ ଥିଲା। ଅନ୍ୟ ପକ୍ଷରେ ଯାତ୍ରୀମାନଙ୍କୁ ତାଙ୍କ ଲକ୍ଷ୍ୟସ୍ଥଳରେ ପହଞ୍ଚାଇବା ପାଇଁ ମୁମ୍ବାଇରୁ ସ୍ପାଇସ୍ ଜେଟ୍ର ଅନ୍ୟ ଏକ ବିମାନ ମଗାଯାଇଥିଲା। ଏହି ବିମାନରେ ମରାମତି ପାଇଁ ଆବଶ୍ୟକ ସରଞ୍ଜାମ ସହ ଇଂଜିନିୟରମାନେ ମୁମ୍ବାଇରୁ ଆସି କରାଚୀରେ ପହଞ୍ଚିଛନ୍ତି। ସେମାନେ ବୋଇଂ ୭୩୭ ମାକ୍ସ ବିମାନଟିକୁ ମରାମତି କରିସାରିଲା ପରେ ସେହି ବିମାନରେ ମୁମ୍ବାଇ ଫେରିଯିବେ ବୋଲି ସ୍ପାଇସ୍ ଜେଟ୍ର ଜନୈକ ମୁଖପାତ୍ର କହିଛନ୍ତି। ମୁମ୍ବାଇରୁ ଆସିଥିବା ସ୍ପାଇସ୍ ଜେଟ୍ ବିମାନଟି କରାଚୀରୁ ଯାତ୍ରୀମାନଙ୍କୁ ନେଇ ଦୁବାଇ ଯାତ୍ରା କରିଛି।