ଚୀନ ସହ ସୀମା ବିବାଦ : ୧୫ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରଖିବାକୁ ସେନାକୁ କେନ୍ଦ୍ରର ଅନୁମତି

ନୂଆଦିଲ୍ଲୀ: ଲଦାଖ ସୀମାରେ ଚୀନ୍ ସହ ଉତ୍ତେଜନା ଜାରି ରହିଥିବା ବେଳେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ୧୫ ଦିନର ଯୁଦ୍ଧ ପାଇଁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳ ମହଜୁଦ ରଖିବାକୁ ସେନାକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି ସରକାର । ପୂର୍ବରୁ ୧୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ମହଜୁଦ ରହୁଥିଲା । ହେଲେ ଚୀନ୍ ସହ ଉତ୍ତେଜନା ଏବଂ ପାକିସ୍ତାନ ପକ୍ଷରୁ ବାରମ୍ବାର କରାଯାଉଥିବା ଆକ୍ରମଣକୁ ଦେଖି ଏହି ନିଷ୍ପତ୍ତି ନିଆଯାଇଛି ।

ଏବେ ଯୁଦ୍ଧକାଳୀନ ପରିସ୍ଥିତିରେ ୧୫ ଦିନ ଲଢ଼ିବା ଭଳି ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖାଯିବ । ତେବେ ଏହି ଅଧିକ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବାକୁ ୩ସେନାକୁ ପ୍ରାୟ ଅଧିକ ୫୦ ହଜାର କୋଟି ଖର୍ଚ୍ଚ କରିବାକୁୁ ହେବ । ବହୁବର୍ଷ ପୂର୍ବରୁ ଯୁଦ୍ଧକାଳୀନ ପରିସ୍ଥିତିରେ ୪୦ ଦିନ ପାଇଁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିବାକୁ ନିଷ୍ପତି ହୋଇଥିଲା । ହେଲେ ଏସବୁକୁ ମହଜୁଦ ରଖିବା ଏକ କଷ୍ଟକର ବ୍ୟାପାର । ଏହାଛଡ଼ା ସମୟ ସହ ଯୁଦ୍ଧର କୌଶଳ ଓ ଉପକରଣ ବଦଳୁଥିବାରୁ ଏତେ ଦିନ ପାଇଁ ମହଜୁଦ ରଖିବାକୁ ନେଇ ପ୍ରଶ୍ନ ଉଠିଥିଲା ।

ଏ ନେଇ ପରେ ଏହାକୁ ୧୦ ଦିନକୁ କମାଇ ଦିଆଯାଇଥିଲା । ଉରି ଆକ୍ରମଣ ପରେ ଅନୁଭବ କରାଯାଇଥିଲା ଯେ, ପର୍ଯ୍ୟାପ୍ତ ପରିମାଣର ଅସ୍ତ୍ରଶସ୍ତ୍ର ଗଚ୍ଛିତ ନାହିଁ । ଏହାକୁ ବଢ଼ାଇବା ପାଇଁ ସେତେବେଳର ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକର ସେନାକୁ ଅନୁମତି ଦେଇଥିଲେ । ଏହା ସହ ୫ ଶହ କୋଟି ପର୍ଯ୍ୟନ୍ତ କିଣିବା ପାଇଁ ତିନି ସେନାକୁ ଜରୁରୀ ଆର୍ଥିକ କ୍ଷମତା ଦିଆଯାଇଥିଲା ।

ସମ୍ବନ୍ଧିତ ଖବର