ଶିବସେନା କର୍ମୀ ଆକ୍ରମଣ କରିଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କୁ ଫୋନ କଲେ ରାଜନାଥ ସିଂ

ନୂଆଦିଲ୍ଲୀ : ଶିବସେନା କର୍ମୀଙ୍କ ଦ୍ୱାରା ଆକ୍ରମଣର ସମ୍ମୁଖୀନ ହୋଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀ ମଦନ ଶର୍ମାଙ୍କୁ ଫୋନ କରି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପୂର୍ବତନ ସାମରିକ କର୍ମଚାରୀଙ୍କ ପ୍ରତିି ଏପରି ଆକ୍ରମଣ ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ସିଂ କହିଛନ୍ତି ।

ଏକ ଟ୍ଵିଟ କରି ରାଜନାଥ ଲେଖିଛନ୍ତି, ମୁମ୍ବାଇରେ ଦୁର୍ବୃତ୍ତମାନଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇଥିବା ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ସହ କଥା ହୋଇ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିଲି । ପୂର୍ବତନ ସାମରିକ କର୍ମଚାରୀଙ୍କ ପ୍ରତିି ଏପରି ଆକ୍ରମଣ ନିନ୍ଦନୀୟ ଓ ଆଦୌ ଗ୍ରହଣୀୟ ନୁହେଁ । ତାଙ୍କର ଆଶୁ ଆରୋଗ୍ୟ କାମନା କରୁଛି ।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ସଂପର୍କରେ ଏକ କାର୍ଟୁନ ସୋସିଆଲ ମିଡିଆରେ ସେୟାର କରିବା ପରେ ୬ ଜଣ ଶିବସେନା କର୍ମୀ ମଦନଙ୍କୁ ତାଙ୍କ ଘର ଆଗରେ ଆକ୍ରମଣ କରିଥିଲେ । ତାଙ୍କ କଲର ଧରିବା ସହ ତାଙ୍କୁ ପିଟିଥିଲେ । ଏହି ଆକ୍ରମଣରେ ସେ ଆହତ ହୋଇଥିଲେ । ଏହା ପରେ ସଂପୃକ୍ତ ୬ ଜଣଙ୍କୁ ପୁଲିସ ଗିରଫ ଥରିଥିଲା । ପରେ ସେମାନେ ୫ ହଜାର ଟଙ୍କାର ମୁଚାଲିକା ସହ ଜାମିନ ପାଇ ମୁକୁଳିଛନ୍ତି ।
ଏବେ ୬୨ ବର୍ଷୀୟ ମଦନ ଶର୍ମା ମୁମ୍ବାଇର ଏକ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ।

ସମ୍ବନ୍ଧିତ ଖବର