ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନରଭାନେ ଆସନ୍ତା ଜୁଲାଇ ୩ ତାରିଖ ଶୁକ୍ରବାର ଦିନ ଲେହ ଗସ୍ତରେ ଯାଇ ପୂର୍ବ ଲଦାଖର ସୁରକ୍ଷା ସ୍ଥିତିର ସମୀକ୍ଷା କରିବେ। ପ୍ରକୃତ ନିୟନ୍ତ୍ରଣ ରେଖା (ଏଲ୍ଏସି) ଅଞ୍ଚଳକୁ ଯାଇ ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ସହିତ ପ୍ରତିରକ୍ଷା ମନ୍ତ୍ରୀ ସୀମାନ୍ତରେ ଯବାନ୍ମାନଙ୍କୁ ମଧ୍ୟ ଭେଟିବେ, ଯେଉଁମାନେ ଗତ ଜୁନ୍ ୧୫ରେ ଗଲୱାନ୍ ଘାଟିରେ ହୋଇଥିବା ସଂଘର୍ଷ ସମୟରେ ଚୀନ୍ ସେନା ସହ ମୁହାଁମୁହିଁ ହୋଇଥିଲେ।
ଭାରତ ଏବଂ ଚୀନ୍ ମଧ୍ୟରେ ଗଲଓ୍ଵାନ ଘାଟିରେ ଘଟିଥିବା ସଂଘର୍ଷ ପରେ ଲଦାଖର ପୂର୍ବ ସୀମାନ୍ତକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କର ଏହା ପ୍ରଥମ ଗସ୍ତ ହେବ। ତେବେ, ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାନେ ଗତ ସପ୍ତାହକ ମଧ୍ୟରେ ଦୁଇଦୁଇଥର ସୀମାନ୍ତକୁ ଗସ୍ତ କରି ସ୍ଥିତିର ସମୀକ୍ଷା କରିଛନ୍ତି।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଗତ ଜୁନ୍ ମାସରେ ଭାରତ ଓ ଚୀନ୍ ସେନାଙ୍କ ମଧ୍ୟରେ ସଂଘର୍ଷ ଘଟି ୨୦ ଜଣ ଭାରତୀୟ ଯବାନ ସହିଦ୍ ହେବାପରେ ଭାରତ- ଚୀନ୍ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ହୋଇଛି। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ଉଭୟ ଦେଶ ମଧ୍ୟରେ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଥିଲା ବେଳେ ଚୀନ୍ ସୀମାନ୍ତରେ ନିଜର ସୈନ୍ୟଙ୍କୁ ଆଣି ଠୁଳ କରିବାରେ ଲାଗିଛି।
Defence Minister Rajnath Singh and Army Chief General Manoj Mukund Naravane to visit Leh on Friday to review the security situation in Eastern Ladakh in view of the Chinese aggression along the Line of Actual Control. pic.twitter.com/2XcqtxX5Hm
— ANI (@ANI) July 1, 2020
ଅନ୍ୟପକ୍ଷରେ ଏଲଏସିରେ ସ୍ଥିତାବସ୍ଥା ବଜାୟ ପାଇଁ ଉଭୟ ସାମରିକ ଓ କୂଟନୈତିକ ସ୍ତରରେ ମତ ପ୍ରକାଶ ପାଉଥିବା ବେଳେ ଚୀନ୍ ଏହାକୁ ସଂପୂର୍ଣ୍ଣ ଅଣଦେଖା କରୁଛି। ଏପରିସ୍ଥିତିରେ ଉଭୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ଭାରତୀୟ ସେନା ମୁଖ୍ୟ ଜେନେରାଲ ମନୋଜ ମୁକୁନ୍ଦ ନାରଭାନେ ଏକତ୍ର ଆସନ୍ତା ଜୁଲାଇ ୩ ତାରିଖ ଶୁକ୍ରବାର ଦିନ ଲେହେ ଗସ୍ତରେ ଯାଇ ପୂର୍ବ ଲଦାଖର ସୁରକ୍ଷା ସ୍ଥିତିର ସମୀକ୍ଷା କରିବା ଘଟଣା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।