ନୂଆଦିଲ୍ଲୀ : ରାଫେଲ ପ୍ରସଙ୍ଗରେ ଆଜି ସଂସଦର ଉଭୟ ଗୃହରେ ପ୍ରବଳ ହଟ୍ଟଗୋଳ ହୋଇଛି। ଲୋକସଭାରେ ଆଜି ରାଫେଲ ପ୍ରସଙ୍ଗ ଛାଇ ଯାଇଥିଲା ଏବଂ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇ ‘ଦି ହିନ୍ଦୁ’ରେ ପ୍ରକାଶିତ ରିପୋର୍ଟ ଆଧାରରେ ଯୁଗ୍ମ ସଂସଦୀୟ କମିଟି ଦ୍ବାରା ରାଫେଲ ଚୁକ୍ତିର ଯାଞ୍ଚ କରିବାକୁ ଦାବି କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇସ୍ତଫା ଦାବି କରି ଟିଏମ୍‌ସି ଓ କଂଗ୍ରେସ ସାଂସଦମାନେ ପ୍ରବଳ ହଟ୍ଟଗୋଳ କରିଥିଲେ। ଲୋକସଭାର କାର୍ଯ୍ୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ ରଖିବାକୁ ପଡ଼ିଥିଲା। ରାଜ୍ୟସଭାରେ ମଧ୍ୟ ରାଫେଲକୁ ନେଇ ବିରୋଧୀ ଦଳଗୁଡ଼ିକ ସରକାରଙ୍କୁ ଘେରିଥିଲେ।

Advertisment

ଅନ୍ୟପକ୍ଷରେ, ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ତାଙ୍କ ଜବାବରେ କହିଥିଲେ ଯେ, ବିରୋଧୀ ଦଳଗୁଡ଼ିକ ସେହି ସମାନ ମିଥ୍ୟା ଓ ବିଭ୍ରାନ୍ତିକୁ ବାରମ୍ବାର ଦୋହରାଉଛନ୍ତି। ରାଫେଲ କ୍ରୟ ଚୁକ୍ତି ବାବଦରେ ସବୁକିଛି ସ୍ପଷ୍ଟ ରହିଛି ଏବଂ ସଂସଦରେ ସବୁ ଉତ୍ତର ଦିଆଯାଇଛି। ବିରୋଧୀ ଦଳମାନେ କେତେକ ବହୁରାଷ୍ଟ୍ରୀୟ କମ୍ପାନି ହାତରେ ଖେଳୁଛନ୍ତି ଏବଂ ଦେଶର ବାୟୁସେନାକୁ ଶକ୍ତିଶାଳୀ କରିବା ସେମାନେ ଚାହୁନାହାନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ସତ୍ୟକୁ ଗ୍ରହଣ କରିବା ପାଇଁ ସାହସ ନଥିବାରୁ କେବଳ ବିଭ୍ରାନ୍ତି ସୃଷ୍ଟି ପାଇଁ ଏକ ଖବରକାଗଜ ରିପୋର୍ଟକୁ ଆଶ୍ରା କରିଛନ୍ତି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ) କୌଣସି ଗୁରୁତ୍ବପୂର୍ଣ୍ଣ ମାମଲାରେ ଅଗ୍ରଗତି ଜାଣିବାକୁ ଚାହିଁକଲେ ଏହା ହସ୍ତକ୍ଷେପ ବୋଲି କୁହାଯିବ ନାହିଁ ବୋଲି ବୋଲି ନିର୍ମଳା କହିଛନ୍ତି। ଏନ୍‌ଡିଏ ସରକାର ସମୟରେ ଜାତୀୟ ପରାମର୍ଶଦାତା ପରିଷଦ (ଏନ୍‌ଏସି) ଗଠନ କରାଯାଇଥିଲା ଏବଂ ଏହାର ଅଧ୍ୟକ୍ଷ ଥିଲେ ସୋନିଆ ଗାନ୍ଧୀ। ତାଙ୍କର ପିଏମ୍‌ଓରେ କେତେ ହସ୍ତକ୍ଷେପ ଥିଲା ତାହା ଦେଶବାସୀ ଭଲଭାବେ ଜାଣିଛନ୍ତି ବୋଲି ନିର୍ମଳା କହିଛନ୍ତି।