ଦେଶର ସବୁଠୁ ଓଜନଦାର ଯୁଦ୍ଧ କମାଣର ଭାର ସମ୍ଭାଳି ପାରୁଥିବା ୪୪ଟି ସେତୁ ଉଦ୍‌ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ନୂଆଦିଲ୍ଲୀ: ସୋମବାର ଦିନ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଭାରତୀୟ ସେନାର ‘ବର୍ଡର୍‌ ରୋଡ୍‌ସ୍‌ ଅର୍ଗାନାଇଜେସନ୍’ (ବିଆର୍‌ଓ) ଦ୍ବାରା ନିର୍ମିତ ୪୪ଟି ସେତୁର ଔପଚାରିକ ଉଦ୍‌ଘାଟନ କରିଛନ୍ତି। ଏହି ସେତୁ ଭାରତର ସବୁଠୁ ଭାରୀ ଯୁଦ୍ଧ କମାଣର ଓଜନ ସମ୍ଭାଳି ପାରିବ। ‘ବିଆର୍‌ଓ’ ଏହି ଧରଣର ସମୁଦାୟ ୧୦୨ଟି ସେତୁ ନିର୍ମାଣ କରିବ।

ପ୍ରାପ୍ତ ସୂଚନା ଅନୁସାରେ, ୫୪ଟି ସେତୁ ନିର୍ମାଣ ସରିଛି ଓ ଅବଶିଷ୍ଟ ୪୮ଟି ସେତୁ ନିର୍ମାଣ କରାଯିବ।

ସେତୁ ଉଦ୍‌ଘାଟନ କରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ‘ବିଆର୍‌ଓ’ ଏବଂ ଏହାର ମୁଖ୍ୟ ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍ ହର୍‌ପାଲ୍‌ ସିଂହଙ୍କର ଖୁବ୍ ପ୍ରଶଂସା କରିଥିଲେ। ଅତି ପଥୁରିଆ ଭୂମି ଏବଂ ପ୍ରତିକୂଳ ପାଗ ସତ୍ତ୍ବେ ଲକ୍ଷ୍ୟ ହାସଲ କରିଥିବାରୁ ‘ବିଆର୍‌ଓ’ ପ୍ରଶଂସାଭାଜନ ବୋଲି ସେ କହିଥିଲେ।

ଜଣେ ସରକାରୀ ଅଧିକାରୀ କହିଛନ୍ତି, ଆଜି ଉଦ୍‌ଘାଟିତ ହୋଇଥିବା ୪୪ଟି ସେତୁରୁ ୩୦ଟି ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ବାସ୍ତବ ନିୟନ୍ତ୍ରଣ ରେଖା ଅନ୍ତର୍ଗତ ରାସ୍ତାରେ ଅବସ୍ଥିତ। ଏ ସବୁ ‘କ୍ଲାସ୍ ୭୦’ ସେତୁ ହୋଇଥିବାରୁ ୭୦ ଟନ୍‌ବିଶିଷ୍ଟ ଯାନବାହନର ଓଜନ ସମ୍ଭାଳି ପାରିବ।

Image Courtesy of Hindustan Times

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଭାରତର ସବୁଠୁ ଓଜନିଆ ଯୁଦ୍ଧ କମାଣ ହେଉଛି ୬୦ ଟନ୍‌ବିଶିଷ୍ଟ ‘ଅର୍ଜୁନ’।

ଲେଫ୍‌ଟ୍‌ନାଣ୍ଟ୍‌ ଜେନେରାଲ୍ ହର୍‌ପାଲ୍‌ ସିଂହ କହିଛନ୍ତି ଯେ, ଏହି ସେତୁଗୁଡ଼ିକ ମଧ୍ୟରୁ ୧୦ଟି ଜମ୍ମୁ ଓ କଶ୍ମୀରରେ, ୮ଟି ଲଦାଖରେ, ୨ଟି ହିମାଚଳ ପ୍ରଦେଶରେ, ୪ଟି ପଞ୍ଜାବରେ, ୮ଟି ଉତ୍ତରାଖଣ୍ଡରେ, ୮ଟି ଅରୁଣାଚଳ ପ୍ରଦେଶରେ ଏବଂ ୪ଟି ସିକିମରେ ଅବସ୍ଥିତ।

ଏହି ସେତୁମାନଙ୍କ ଯୋଗୁଁ ଗମନା ଗମନ ତ୍ବରାନ୍ବିତ ହୋଇ ପାରିବ ଏବଂ ବାସ୍ତବ ନିୟନ୍ତ୍ରଣ ରେଖା ଅଞ୍ଚଳରେ ଯେକୌଣସି ପରିସ୍ଥିତର ମୁକାବିଲା କରିବାକୁ ସଶସ୍ତ୍ରବାହିନୀ ତୁରନ୍ତ ପହଞ୍ଚି ପାରିବେ।

‘ବିଆର୍‌ଓ’ ବର୍ଷକୁ ଏହି ଧରଣର ହାରାହାରି ୫୦ଟି ସେତୁ ନିର୍ମାଣ କରିବ ବୋଲି ସରକାର ଲକ୍ଷ୍ୟ ଧାର୍ଯ୍ୟ କରି‌ଥିଲେ। କିନ୍ତୁ, ପରେ ଏହାକୁ ପରିବର୍ତ୍ତନ କରାଯାଇ ୧୦୨ଟି ସେତୁ ନିର୍ମାଣ କରାଇବାକୁ ସ୍ଥିର କରିଥିଲେ।

ସମ୍ବନ୍ଧିତ ଖବର