ନୂଆଦିଲ୍ଲୀ: ବିଜୟ ଦଶମୀ ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପଶ୍ଚିମବଙ୍ଗର ଦାର୍ଜିଲିଂର ସୁକନା ଯୁଦ୍ଧ ମେମୋରିଆଲରେ ଆଜି ଅସ୍ତ୍ରଶସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ ଚୀନ୍ ଏବଂ ଭାରତ ସୀମାରେ ଶାନ୍ତି ରହିବା ଏବଂ ଉତ୍ତେଜନା କମିବା ଉଚିତ ବୋଲି ଭାରତ ଚାହୁଁଛି, କିନ୍ତୁ ମୋର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆମ ଯବାନ କାହାକୁ ମଧ୍ୟ ଆମେ ଦେଶର ଏକ ଇଞ୍ଚ ଜମି ଦଖଲ କରିବାକୁ ଦେବେ ନାହିଁ। ଅସ୍ତ୍ରଶସ୍ତ୍ର ପୂଜା ସମୟରେ ସେନା ମୁଖ୍ୟ ଏମଏମ ନରୱାନେ ମଧ୍ୟ ଉପସ୍ଥିତ ଥିଲେ। ତେବେ ଆଜି ରାଜନାଥ ଭାରତୀୟ ସେନା ବ୍ୟବହାର କରୁଥିବା ଏକ ଅତ୍ୟାଧୁନିକ ରାଇଫଲ ଧରିଥିବାର ନଜର ଆସିଥିଲେ |

Advertisment

ଏହି ରାଇଫଲର ନାମ ଟାଭର୍ -୨୧ ହୋଇଥିବା ବେଳେ ସର୍ଜିକାଲ ଷ୍ଟ୍ରାଇକରେ ଏହା ବ୍ୟବହାର ହୋଇଥିଲା | ଟାଭର୍ -୨୧  ବନ୍ଧୁକ ୫୫୦ ମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର ସାମର୍ଥ୍ୟ ରଖୁଥିବା ବେଳେ ପ୍ରତି ମିନିଟରେ ୬୫୦ଟି ଗୁଳି ନିକ୍ଷେପ କରିପାରେ | ମାତ୍ର ୩.୫ କିଲୋଗ୍ରାମ୍ ଓଜନ ବିଶିଷ୍ଟ ଏହି ବନ୍ଧୁକ ଦ୍ୱାରା ତୁରନ୍ତ ଆକ୍ରମଣ କରାଯାଇପାରିବ। ଇସ୍ରାଏଲି ଜ୍ଞାନକୌଶଳରେ ଏହା ନିର୍ମିତ | ଆଉ ବଡ କଥା ହେଲା, କିଛି ଦିନ ପୂର୍ବେ ମଧ୍ୟପ୍ରଦେଶରେ ଏହି ବନ୍ଧୁକର ନିର୍ମାଣ ମଧ୍ୟ ଆରମ୍ଭ ହୋଇଛି | ଭାରତ ଓ ଇସ୍ରାଏଲର ମିଳିତ ସହଯୋଗରେ ମଧ୍ୟପ୍ରଦେଶର ଭିଣ୍ଡରେ ଏହି ଅତ୍ୟାଧୁନିକ ବନ୍ଧୁକ ନିର୍ମାଣ କରାଯାଉଛି |