ନୂଆଦିଲ୍ଲୀ: ତାମିଲନାଡୁରେ ସିଡିଏସ୍ ଜେନେରାଲ୍ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାରୁ ଏକମାତ୍ର ଉଦ୍ଧାର ହୋଇଥିବା ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କର ଆଜି ଦେହାନ୍ତ ହୋଇଯାଇଛି | ତେବେ ବରୁଣଙ୍କ ମୃତ୍ୟୁ ଖବର ପାଇବା ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭାବପ୍ରବଣ ହୋଇପଡିଥିଲେ। ଆଜି ଅପରାହ୍ନରେ ରାଜନାଥ ଡେରାଡୁନରେ ଏକ ରାଲିକୁ ସମ୍ବୋଧିତ କରୁଥିଲେ। ଆଉ ଗ୍ରୁପ କ୍ୟାପଟେନଙ୍କ ମୃତ୍ୟୁ ଖବର ଶୁଣିବା ମାତ୍ରେ ରାଜନାଥ ଭାବୁକ ହୋଇପଡିଥିଲେ | ସେ ମୃତ୍ୟୁ ଖବର ଶୁଣି ତାଙ୍କ ଭାଷଣ ବନ୍ଦ କରିଦେଇଥିଲେ |

Advertisment

ଏହି ସମୟରେ ଗ୍ରୁପ୍ କ୍ୟାପଟେନ ବରୁଣ ସିଂଙ୍କ ପାଇଁ କିଛି ସମୟ ନୀରବ ପ୍ରାର୍ଥନା କରିବାକୁ ରାଜନାଥ ସିଂ ରାଲିରେ ଉପସ୍ଥିତ ଲୋକଙ୍କୁ ନିବେଦନ କରିଥିଲେ। ଏକ ମାସର ସହିଦ ସମ୍ମାନ ଯାତ୍ରାର ସମାପ୍ତି ସମାରୋହକୁ ସମ୍ବୋଧିତ କରୁଥିବାବେଳେ ବରୁଣ ସିଂଙ୍କ ମୃତ୍ୟୁ ବିଷୟରେ ରାଜନାଥ ସିଂ ଜାଣିଥିଲେ। ଏହି କାର୍ଯ୍ୟକ୍ରମରେ ରାଜନାଥ ସିଂ ସୈନ୍ୟଧାମର ଶିଳାନ୍ୟାସ କରିଛନ୍ତି । ସହିଦମାନଙ୍କ ସ୍ମୃତିରେ ନିର୍ମିତ ଏହି ସ୍ମାରକକୁ ଉତ୍ତରାଖଣ୍ଡରେ ଥିବା ଚାରିଟି ଧାମ ପରେ ପଞ୍ଚମ ଧାମ ବୋଲି କୁହାଯାଉଛି |


ସୂଚନା ଥାଉ କି ଡିସେମ୍ବର ୮ ରେ ତାମିଲନାଡୁର କୁନୁରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ସେନା ଅଧିକାରୀଙ୍କ ମୃତ୍ୟୁ ଘଟିଥିଲା । ଏହି ଭୟଙ୍କର ଦୁର୍ଘଟଣାରେ ବରୁଣ ସିଂ ହିଁ ଜୀବିତ ଥିବା ଦେଖିବାକୁ ମିଳିଥିଲା। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହା ପରେ ତାଙ୍କୁ ବାଙ୍ଗାଲୋରର ମିଲିଟାରୀ ହସ୍ପିଟାଲକୁ ଅଣାଯାଇଥିଲା। ତେବେ ଆଜି ବରୁଣଙ୍କର ଦେହାନ୍ତ ହୋଇଯାଇଛି |