ବଦଳିପାରେ ଭାରତୀୟ ସେନା ପୋଷାକ,୧୧ଟି ନିର୍ଦ୍ଦେଶାଳୟରୁ ପରାମର୍ଶ ଲୋଡ଼ିଲା ସେନା 

ନୂଆଦିଲ୍ଲୀ: ବଦଳିପାରେ ଭାରତୀୟ ସେନାର ପୋଷାକ | ଯବାନଙ୍କ ପୋଷାକକୁ ଅଧିକ ଆରାମଦାୟକ ଓ ସ୍ମାର୍ଟ କରିବାର ପ୍ରୟାସ ଏବେ ଆରମ୍ଭ ହୋଇଯାଇଛି | ଏଥିପାଇଁ ସେନା ମୁଖ୍ୟାଳୟ ପକ୍ଷରୁ ସେନାର ଅଧିକାରୀମାନଙ୍କୁ ପରାମର୍ଶ ମଗାଯାଇଛି | ମିଳିଥିବା ସୂଚନା ମୁତାବକ ସେନା ମୁଖ୍ୟାଳୟ ପାଖାପାଖି ୧୧ଟି ନିର୍ଦ୍ଦେଶାଳୟକୁ ଏ ନେଇ ପରାମର୍ଶ ମାଗିଛି | ଜଣେ ସେନାଧିକାରୀ କହିଛନ୍ତି, ଅନ୍ୟ ଦେଶ ଭଳି ଭାରତୀୟ ସେନାର ମଧ୍ୟ ପୋଷାକର ରଙ୍ଗ ବଦଳିପାରେ | ସାର୍ଟ ଓ ପ୍ୟାଣ୍ଟର ଭିନ୍ନ ରଙ୍ଗ ହୋଇପାରେ ବୋଲି ଆଲୋଚନା ଚାଲିଛି |
ଏବେ ଯବାନମାନେ ପିନ୍ଧୁଥିବା ପୋଷାକର କାନ୍ଧରେ ଲାଗିଥିବା ବ୍ୟାଚରୁ ସେମାନଙ୍କ  ରାଙ୍କ  (ପଦବୀ) ବାବଦରେ ଜଣାପଡ଼ିଥାଏ | କିନ୍ତୁ ଆମେରିକା ଓ ଯୁକ୍ତରାଜ୍ୟର ସେନା ପୋଷାକରେ ଲାଗିଥିବା ପ୍ରତୀକରୁ ରାଙ୍କ ବାବଦରେ ଜଣାପଡ଼ିଥାଏ | ବଡ କଥା ହେଉଛି ପାଣିପାଗକୁ ନଜରରେ ରଖି ପୋଷାକ ବଦଳେଇବା ଉପରେ ଗୁରୁତ୍ୱ ଦିଆଯାଉଛି | କାରଣ ଦେଶର ବିଭିନ୍ନ ଅଞ୍ଚଳରେ ହେଉଥିବା ପାଣିପାଗ ପରିବର୍ତ୍ତନ ସାଙ୍ଗକୁ ବର୍ତ୍ତମାନ ଟେରିକୋଟ ଫାଇବର ବ୍ୟବହାର କରାଯାଉଛି| ଆଉ ଏହି ପ୍ରକାରର ପୋଷାକ ଗରମ ପରିସ୍ଥିତି ପାଇଁ ଅନୁକୂଳ ନୁହେଁ | ତେବେ ଏହି ପ୍ରକାରର ପୋଷାକ ବ୍ୟବହାର କରାଯିବାର କାରଣ ଥିଲା କଟନ ପୋଷାକକୁ ରକ୍ଷଣାବେକ୍ଷଣ କଷ୍ଟ ହୋଇଥାଏ | କିନ୍ତୁ ଏବେ ଏହି ଟେରିକୋଟ ପୋଷାକ ସମସ୍ୟା ସୃଷ୍ଟି କରୁଛି | ଦିନକୁ ଦିନ ବଦଳୁଥିବା ପାଣିପାଗ ପରିବର୍ତ୍ତନ ଯୋଗୁଁ ଯବାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଥିବାର ସେନା ଅନୁଭବ କରିଛି |
Indian Border Security Force (BSF) REUTERS/Danish Ismail – RTX291H7
ଏସବୁକୁ ନଜରରେ ରଖି ଯବାନଙ୍କୁ ଉପଯୁକ୍ତ ପୋଷାକ ବ୍ୟବସ୍ଥା କରିବାକୁ ଯୋଜନା ହୋଇଛି | ଏଠାରେ ସୂଚନାଥାଉ କି ଏବେ ଭାରତୀୟ ସେନା ୯ ପ୍ରକାରର ପୋଷାକ ବ୍ୟବହାର କରୁଛି | ଏହି ୯ଟି ପୋଷାକକୁ ୪ଟି ଶ୍ରେଣୀରେ ବିଭାଗ କରାଯାଇଛି |ପ୍ରଥମ ଶ୍ରେଣୀରେ କମ୍ବାଟ ୟୁନିଫର୍ମ ଥିବାବେଳେ ଦ୍ଵିତୀୟ ଶ୍ରେଣୀରେ ସେରିମନିୟାଲ ୟୁନିଫର୍ମ ରହିଛି | ସେହିପରି ତୃତୀୟ ଶ୍ରେଣୀରେ ପିସ ଟାଇମ ୟୁନିଫର୍ମ ଓ ଚତୁର୍ଥ କାଟାଗୋରିରେ ମେସ ୟୁନିଫର୍ମ ରହିଛି | ତେବେ ଉଭୟ ଶୀତ ଓ ଗରମ ପାଇଁ ପୋଷାକ ରହିଛି | 
ସମ୍ବନ୍ଧିତ ଖବର