ନିମ୍ନମାନର ଅସ୍ତ୍ରଶସ୍ତ୍ରକୁ ନେଇ ସେନା ଖପ୍ପା ! ବଢ଼ୁଛି ଦୁର୍ଘଟଣା, ଯବାନଙ୍କ ଜୀବନ ବି ଯାଉଛି

ନୂଆଦିଲ୍ଲୀ: ଭାରତୀୟ ସେନା ଦିନକୁ ଦିନ ନୂଆ ନୂଆ କୀର୍ତ୍ତିମାନ ସ୍ଥାପନ କରୁଛି । ଗୋଟିଏ ପଟେ ଶତ୍ରୁଙ୍କୁ ଜବାବ ଦେବାକୁ ସେନା ନିଜର ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ଯୁଦ୍ଧ ଉପକରଣ ଦ୍ୱାରା ଦୁର୍ଘଟଣା ମଧ୍ୟ ବଢ଼ିବାରେ ଲାଗିଛି । ଏହାକୁ ନେଇ ଭାରତୀୟ ସେନା ଚିନ୍ତାପ୍ରକଟ କରିଛି । ଦୁର୍ଘଟଣାର ମୁଖ୍ୟ କାରଣ ହେଉଛି ନିମ୍ନମାନର ଯୁଦ୍ଧାସ୍ତ୍ର । ବଡ କଥା ହେଉଛି ଏହି ସବୁ ଅସ୍ତ୍ରଶସ୍ତ୍ରକୁ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ପ୍ରସ୍ତୁତ କରିଥାଏ । ଏହି ବୋର୍ଡ ଭାରତ ସରକାରଙ୍କ ଅଧୀନରେ କାର୍ଯ୍ୟ କରୁଛି ।

ସେନାରେ ଥିବା ଟ୍ୟାଙ୍କ, ତୋପ,ଏୟାର ଡିଫେନ୍ସ ଗନ ପାଇଁ ଯୁଦ୍ଧ ଉପକରଣ ଯୋଗାଣ କରିଥାଏ ଅର୍ଡିନାନ୍ସ ଫ୍ୟାକ୍ଟ୍ରି । ତେବେ ନିମ୍ନମାନର ଯୁଦ୍ଧାସ୍ତ୍ର ବାବଦରେ ସେନା ପ୍ରତିରକ୍ଷା ମନ୍ତ୍ରାଳୟ ସହ ଆଲୋଚନା କରିଛି । ସେନା ପକ୍ଷରୁ କୁହାଯାଇଛି ଯେ ମାନ କମୁଥିବାରୁ ଦୁର୍ଘଟଣା ଘଟୁଛି ଓ ଅନେକ ଯବାନଙ୍କ ଜୀବନ ମଧ୍ୟ ଚାଲିଯାଉଛି । ଏସବୁ ପରେ ସେନାର ନିଜସ୍ୱ ଗୋଳାବାରୁଦ ଉପରେ ଭରସା କମୁଥିବାର ଦେଖିବାକୁ ମିଳୁଛି । ବର୍ଷକୁ ପାଖାପାଖି ୧୯ ହଜାର କୋଟି ଟଙ୍କାର କାରବାର ହେଉଥିବା ଏହି ବୋର୍ଡର ସାରା ଦେଶରେ ୪୧ଟି କାରଖାନା ରହିଛି । ଭାରତୀୟ ସେନାରେ ଥିବା ୧୨ ଲକ୍ଷ ସୈନିକଙ୍କ ପାଇଁ ଆବଶ୍ୟକୀୟ ଅସ୍ତ୍ରଶସ୍ତ୍ର ଦେବାରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ତେବେ ଏବେ ମାନ କମିଥିବାର ସେନା ପରିଲକ୍ଷିତ କରିଛି ।

India Today

ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରାଳୟରେ କିଛି ସ୍ୱତନ୍ତ୍ର ପ୍ରସଙ୍ଗକୁ ଉଠାଯାଇଛି | ଏଥିରେ କୁହାଯାଇଛି ଯେ ୧୦୫ ଏମଏମ ଇଣ୍ଡିଆନ ଫିଲଡ ଗନ,୧୦୫ ଏମଏମ ଲାଇଟ ଫିଲଡ ଗନ, ୧୩୦ ଏମଏମ ଏମଏ୧ ମିଡିୟମ ଗନ,୪୦ ଏମଏମଏଲ-୭୦ ଏୟାର ଡିଫେନ୍ସ ଗନରେ ଅଧିକ ଦୁର୍ଘଟଣା ସାମ୍ନାକୁ ଆସୁଛି । ସେହିପରି ଟି-୭୨,ଟି-୯୦ ଓ ଅର୍ଜୁନ ଟ୍ୟାଙ୍କରେ ନିୟମିତ ଦୁର୍ଘଟଣା ଘଟୁଛି । ଚର୍ଚ୍ଚା ହେଉଛି ଯେ ଅର୍ଡିନାନ୍ସ ଫ୍ୟାକ୍ଟ୍ରି ବୋର୍ଡ ଏ ସମସ୍ୟାକୁ ସମାଧାନ କରିବାରେ ଗୁରୁତ୍ୱ ଦେଉ ନାହିଁ । ତେଣୁ କିଛି ରେଞ୍ଜରେ ସେନା ଗୋଳାବାରୁଦ ଫାୟାରିଂ କରିବା ବନ୍ଦ କରିଦେଇଛି।

ସମ୍ବନ୍ଧିତ ଖବର