ନୂଆଦିଲ୍ଲୀ: ଚୀନ୍ ସହ ସୀମାରେ ଉତ୍ତେଜନା ଭଳି ସ୍ଥିତି ଲାଗି ରହୁଥିବା ବେଳେ ପ୍ରତିରକ୍ଷାରେ ଭାରତ ସରକାରଙ୍କ ବ୍ୟୟ ସେହି ଅନୁସାରେ ବଢ଼ିନାହିଁ। ଏକ ଅନୁଶୀଳନରୁ ଜଣାପଡ଼ିଛି ଯେ ୨୦୧୮-୧୯ ପରଠାରୁ ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ପ୍ରତିରକ୍ଷା ବ୍ୟୟର ଭାଗ କମିବାରେ ଲାଗିଛି। ପ୍ରତିରକ୍ଷାକୁ ନେଇ ଗଠିତ ଲୋକସଭା ଷ୍ଟାଣ୍ଡିଂ କମିଟି ଦାଖଲ କରିଥିବା ରିପୋର୍ଟରୁ ଏହା ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ବ୍ୟୟରେ ମଧ୍ୟ ପ୍ରତିରକ୍ଷାର ଭାଗ କମିବାରେ ଲାଗିଛି।
୨୦୨୩-୨୪ରେ ପ୍ରତିରକ୍ଷା କ୍ଷେତ୍ରକୁ ୫,୯୩,୫୩୭ କୋଟି ଟଙ୍କା ଦିଆଯାଇଛି ଯାହା କେନ୍ଦ୍ରର ମୋଟ ବ୍ୟୟର ୧୩.୧୮ ପ୍ରତିଶତ ଓ ଜିଡିପିର ୧.୯୭ ପ୍ରତିଶତ। ତେବେ କମିଟିକୁ ସରକାର ଜଣାଇଛନ୍ତି ଯେ ପ୍ରତିରକ୍ଷାର ପୁଞ୍ଜି ବ୍ୟୟ ସରକାରଙ୍କ ମୋଟ ବ୍ୟୟର ୧୭.୧୨ ପ୍ରତିଶତ। ବ୍ୟୟ ହ୍ରାସ ସମ୍ପର୍କରେ କମିଟିକୁ ପ୍ରତିରକ୍ଷା ସଚିବ ଉତ୍ତର ଦେଇ ଜଣାଇଛନ୍ତି ଯେ ବିଶ୍ବ ସ୍ତରରେ ପ୍ରଚଳିତ ନିୟମ ଅନୁସାରେ ଜିଡିପିର ୩ ପ୍ରତିଶତ ପ୍ରତିରକ୍ଷାରେ, ୨ ପ୍ରତିଶତ ଶିକ୍ଷାରେ ଏବଂ ତିନି ପ୍ରତିଶତ କୃଷିରେ ବ୍ୟୟ କରାଯାଉଛି। ଯଦି ଆସନ୍ତା ବର୍ଷର ଜିଡିପି ଆକଳନକୁ ବିଚାରକୁ ନିଆଯିବ ତେବେ ତାହାର ୩ ପ୍ରତିଶତ ୧୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ। ଏତେ ଅଧିକ ଟଙ୍କାକୁ ପ୍ରତିରକ୍ଷା ମନ୍ତ୍ରାଳୟ ସମ୍ଭାଳିପାରିବନି। ଯେତିକି ସମ୍ଭାଳିପାରିବ ସରକାର ସେତିକି ଟଙ୍କା ଦେଉଥିବା ସଚିବ କହିଛନ୍ତି। ସୀମାରେ ଭିତିଭୂମି ବିକାଶ କିଭଳି ରହିଛି ବୋଲି କରାଯାଇଥିବା ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ ଯୁଦ୍ଧ ଜିଣିବା ଲାଗି ଭିତ୍ତିଭୂମି ଜରୁରୀ। ସରକାର ଦୀର୍ଘ ମିଆଦୀ ଯୋଜନା ରଖି ଏଦିଗରେ କାମ କରୁଛନ୍ତି। ପ୍ରତିବର୍ଷ ତାହାର ସମୀକ୍ଷା କରାଯାଉଛି।