ନୂଆଦିଲ୍ଲୀ:ସୋମବାର ଅପରାହ୍ନ ୧୨ଟା ସମୟରେ ଲୋକସଭାରେ 'ଅପରେସନ୍ ସିନ୍ଦୂର' ଉପରେ ଆଲୋଚନା ଆରମ୍ଭ ହୋଇଯାଇଛି।
ଏହି ଆଲୋଚନା ସଭାରେ ପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ତାଙ୍କର ପକ୍ଷ ଉପସ୍ଥାପନ କରି କହିଥିଲେ, ‘ଭାରତୀୟ ସାମରିକ କାର୍ଯ୍ୟାନୁଷ୍ଠାନରେ ୧୦୦ ରୁ ଅଧିକ ଆତଙ୍କବାଦୀ ସମେତ ସେମାନଙ୍କର ପରିଚାଳନାକାରୀ ଏବଂ ପ୍ରଶିକ୍ଷକ ନିହତ ହୋଇଥିଲେ।’
ରାଜନାଥ ସିଂହଙ୍କ ଏଭଳି ବୟାନ ମଝିରୁ ସଙ୍ଗେସଙ୍ଗେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କ ଆସନରୁ ଠିଆ ହୋଇ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ କି - 'ତା'ହେଲେ ଆପଣ ଅପରେସନକୁ କାହିଁକି ବନ୍ଦ କଲେ?' ରାହୁଲଙ୍କ ଏଭଳି ପ୍ରଶ୍ନ ପରେ ବିରୋଧୀ ସାଂସଦମାନେ ମଧ୍ୟ ଗୃହରେ ହୋହଲ୍ଲା କରିବାକୁ ଆରମ୍ଭ କରି ଦେଇଥିଲେ।
ରାଜନାଥ କିଛି ସମୟ ମୌନ ରହି ଧୀର ସ୍ବରରେ କହିଥିଲେ - 'ମୋତେ ସମ୍ପୂର୍ଣ୍ଣ କହିବାକୁ ଦିଅ, ମୁଁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ଅଛି। ଆପଣମାନଙ୍କୁ ଜଣାଇ ଦେବାକୁ ଚାହିଁବି କି ଅପରେସନ୍ ସିନ୍ଦୂର ଶେଷ ହୋଇନାହିଁ, ଏହାକୁ ସ୍ଥଗିତ ରଖାଯାଇଛି। ଆଗାମୀ ଦିନରେ ପାକିସ୍ତାନ ପୁଣି ଯଦି କିଛି ଆକ୍ରମଣ କରିବାକୁ ସାହସ କରେ, ତେବେ ଏହି ଅପରେସନ ପୁଣି ଆରମ୍ଭ କରାଯିବ। ଆମର ଲକ୍ଷ୍ୟ ଯୁଦ୍ଧ କରିବା ନୁହେଁ, ବରଂ ଆତଙ୍କବାଦକୁ ପୋଷଣ କରୁଥିବା ଲୋକଙ୍କୁ ଶିକ୍ଷା ଦେବାର ଥିଲା।'