ନୂଆଦିଲ୍ଲୀ : ଓଡ଼ିଶାରେ ବେଆଇନ ଖଣି ଖନନ ଜରିମାନା ଆଦାୟ ଟଙ୍କା ପ୍ରଭାବିତ ଅଞ୍ଚଳରେ ଖର୍ଚ୍ଚ କରିବା ନେଇ ରାଜ୍ୟ ସରକାରଙ୍କ ଦ୍ବାରା ଗଠନ ହୋଇଥିବା ଏସ୍ପିଭି (ସ୍ପେସାଲ୍ ପର୍ପଜ୍ ଭେଇକଲ୍)ର ସମସ୍ତ ତଦାରଖ କାର୍ଯ୍ୟ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ କରିବେ। ଏନେଇ ଆଜି ସୁପ୍ରିମକୋର୍ଟର ବିଚାରପତି ମଦନ ବି ଲୋକୁର, ବିଚାରପତି ଏସ୍ ଏ ନଜିର ଓ ବିଚାରପତି ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି। ଏସ୍ପିଭିର ଓଭରସାଇଟ୍ ଅଥୋରିଟିର ଗୁରୁ ଦାୟିତ୍ବ ଅବସରପ୍ରାପ୍ତ ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକଙ୍କୁ ଦିଆଯାଇଥିବାବେଳେ ଆବଶ୍ୟକ ପଡ଼ିଲେ ବିଚାରପତି ଆଉ ଦୁଇଜଣ ଅଧିକାରୀଙ୍କୁ ତାଙ୍କ ଆବଶ୍ୟକତା ଅନୁସାରେ ନିଯୁକ୍ତି କରିପାରିବେ ବୋଲି କୋର୍ଟ କହିଛନ୍ତି। ବିଚାରପତି ଅନଙ୍ଗ କୁମାର ପଟ୍ଟନାୟକ ଏସ୍ପିଭି କାର୍ଯ୍ୟ ତଦାରଖ କରିବାପରେ ଏନେଇ ସୁପ୍ରିମକୋର୍ଟରେ ରିପୋର୍ଟ ଦାଖଲ କରିପାରିବେ ବୋଲି ସୁପ୍ରିମକୋର୍ଟର ୩ ଜଣିଆ ଖଣ୍ଡପୀଠ କହିଛନ୍ତି। ଓଡ଼ିଶାର ଖଣି ପ୍ରଭାବିତ ୩ଟି ଜିଲ୍ଲା କେଉଁଝର, ମୟୂରଭଂଜ ଓ ସୁନ୍ଦରଗଡ଼ରେ ଏସ୍ପିଭି ଅନ୍ତର୍ଗତ ଅର୍ଥରାଶିର ବିନିଯୋଗ କରାଯିବ ବୋଲି କୋର୍ଟ କହିଛନ୍ତି। ଉପରୋକ୍ତ ୩ଟି ଜିଲ୍ଲାରେ ଏସ୍ପିଭି ଜରିଆରେ ପ୍ରାଥମିକତା ରୂପେ ଅର୍ଥରାଶି ବ୍ୟୟ କରିବା ନେଇ ସୁପ୍ରିମକୋର୍ଟ ଗୁରୁତ୍ବାରୋପ କରିଛନ୍ତି। ଏସ୍ପିଭି ଦ୍ବାରା ପ୍ରଥମ ୩ ମାସରେ ତଥା ପରବର୍ତ୍ତି ସମୟରେ ୬ ମାସରେ ଏସ୍ପିଭି କାର୍ଯ୍ୟକାରିତା ସମ୍ପର୍କରେ ଓଭରସାଇଟ୍ ଅଥୋରିଟିକୁ ରିପୋର୍ଟ ଦେବାକୁ ପଡ଼ିବ।
ଉଲ୍ଲେଖଯୋଗ୍ୟ ଗତବର୍ଷ ଅଗଷ୍ଟ ୨ ତାରିଖରେ ଓଡ଼ିଶାରେ ବେଆଇନ ଖଣି ଖନନ ମାମଲାର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ଖଣି ଲିଜ୍ଧାରୀମାନଙ୍କ ପକ୍ଷରୁ ରାଜ୍ୟ ସରକାର ଜରିମାନା ଆଦାୟ କରିଥିଲେ। ଖଣି ପ୍ରଭାବିତ ଅଞ୍ଚଳରେ ଏସ୍ପିଭି ଦ୍ବାରା ଆଦାୟ ହୋଇଥିବା ଅର୍ଥରାଶିକୁ କିଭଳି ଭାବେ ଖର୍ଚ୍ଚ କରାଯିବ ସେନେଇ ଖଣି ଲିଜ୍ଧାରୀମାନଙ୍କଠାରୁ ଏକାଧିକ ପ୍ରସ୍ତାବ ସୁପ୍ରିମକୋର୍ଟରେ ସେପ୍ଟେମ୍ବର ୬ ତାରିଖରେ ଦିଆଯାଇଥିଲା। ଏହି ମାମଲାରେ ରାଜ୍ୟ ସରକାର ଚଳିତ ମାସ ୨୦ ତାରିଖରେ ସତ୍ୟପାଠ ଦାଖଲ କରି ଖଣି ଲିଜ୍ଧାରୀଙ୍କ ପ୍ରସ୍ତାବ ଉପରେ ସହମତି ପ୍ରକାଶ କରିଥିଲେ। ତେବେ ରାଜ୍ୟ ସରକାରଙ୍କ ସତ୍ୟପାଠ ଦାଖଲ ପରେ ଆଜି ଖଣି ଲିଜ୍ଧାରୀଙ୍କ ପକ୍ଷରୁ ବରିଷ୍ଠ ଓକିଲ ଗୋପାଳ ସୁବ୍ରମଣ୍ୟମ୍ ଖଣ୍ଡପୀଠଙ୍କ ନିକଟରେ ପ୍ରଭାବିତ ଅଞ୍ଚଳରେ କିଭଳି ଆଦାୟ ଟଙ୍କାର ଖର୍ଚ୍ଚ କରାଯାଇପାରିବ ସେନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲ ରାକେଶ ଦ୍ବିବେଦୀ କହିଥିଲେ ଯେ ଏସ୍ପିଭିରେ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ୍କୁ ମିଶ୍ରଣ କରାନଯାଉ। ସେହିପରି ଏସ୍ପିଭିରେ ଆଡହକ୍ କ୍ୟାମ୍ପ୍ ପାଣ୍ଠିକୁ ମଧ୍ୟ ବାଦ୍ ଦିଆନଯାଉ ବୋଲି େସ କହିଥିଲେ। ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଦୁଇଟି ଯାକ ପ୍ରସ୍ତାବକୁ ମାନି େନଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଖଣି ଲିଜ୍ଧାରୀମାନଙ୍କଠାରୁ ୧୪୦୦ କୋଟି ଟଙ୍କା ଆଦାୟ କରାଯାଇଛି ଯାହାକୁ ଖଣି ପ୍ରଭାବିତ ଆଦିବାସୀ ଅଧ୍ୟୁଷିତ ୩ଟି ଜିଲ୍ଲାରେ ଖର୍ଚ୍ଚ କରାଯିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/mine.jpg)