ମୁମ୍ବାଇ: ସାମାଜିକ ଦୃଷ୍ଟିଭଙ୍ଗୀରୁ ମଣିଷର କେଉଁ ଅଙ୍ଗ ‘ବ୍ୟକ୍ତିଗତ ଅଙ୍ଗ’ ତାହା ନିର୍ଦ୍ଧାରଣ କରାଯାଇଥାଏ ବୋଲି ମୁମ୍ବାଇର ଏକ କୋର୍ଟ କହିଛନ୍ତି। ପୋକସୋ କୋର୍ଟ ଜଣେ ଯୁବକକୁ ୧୦ବର୍ଷର ବାଳିକାଙ୍କ ନିତାମ୍ବକୁ ସ୍ପର୍ଶ କରିବା ଅପରାଧରେ ୫ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମାମଲା ୨୦୧୭ରେ ଘଟିଥିବା ଘଟଣା ସହିତ ଜଡ଼ିତ।
ପ୍ରକାଶିତ ରିପୋର୍ଟ ମୁତାବକ, ଜଣେ ୧୦ ବର୍ଷର ନାବାଳିକା ନିକଟସ୍ଥ ଦୋକାନକୁ ପାଉଁରୁଟି କିଣିବା ପାଇଁ ଘରୁ ବାହାରକୁ ଯାଇଥିଲେ। ପାଉଁରୁଟି କିଣି ସାରିବା ପରେ ଘରକୁ ଫେରୁଥିବା ସମୟରେ ଚାରିଜଣ ଯୁବକ ଷ୍ଟେସନାରୀ ଦୋକାନ ବାହାରେ ବସି ତାଙ୍କୁ ଦେଖି ହସୁଥିଲେ । ସେ ଏହାକୁ ଖାତିର ନକରି ଘରକୁ ଚାଲି ଆସିଥିଲେ।
ପରେ, ସେ ଜଣେ ସାଙ୍ଗ ସହିତ ଏକ ମନ୍ଦିରକୁ ଯାଉଥିଲେ। ଏହି ସମୟରେ ଷ୍ଟେସନାରୀ ଦୋକାନରେ ବସିଥିବା ଚାରିଜଣ ଯୁବକଙ୍କ ମଧ୍ୟରୁ ଜଣେ ତାଙ୍କ ନିକଟକୁ ଆସି ତାଙ୍କ ନିତମ୍ବକୁ ଛୁଇଁଥିଲା । ଏହାକୁ ଦେଖି ଅନ୍ୟ ତିନି ଜଣ ତାଙ୍କୁ ହସିବାକୁ ଲାଗିଥିଲେ।
ଝିଅଟି ସଙ୍ଗେ ସଙ୍ଗେ ଘରକୁ ଫେରି ଏହି ଘଟଣା ବିଷୟରେ ତାଙ୍କ ମା’ଙ୍କୁ କହିଥିଲେ। ଯାହା ଫଳରେ ସେ ତାଙ୍କ ସ୍ୱାମୀଙ୍କୁ ଫୋନରେ ଏସବୁ ଜଣାଇଥିଲେ। ଝିଅର ବାପା ତୁରନ୍ତ ଘରକୁ ଆସି ନାବାଳିକାଙ୍କୁ ଘଟଣା ବିଷୟରେ ପଚାରି ବୁଝିଥିଲେ। ଅଭିଯୁକ୍ତ ସାହାର ଅଲୀ ଶେଖ ତାଙ୍କ ସହିତ ଏଭଳି ଅଶ୍ଳୀଳ ବ୍ୟବହାର କରିଥିବା ସେ କହିଥିଲେ।
ଏହା ପରେ ପୀଡିତାଙ୍କ ବାପା ପୁଲିସ ଷ୍ଟେସନକୁ ଯାଇ ଏକ ମାମଲା ରୁଜୁ କରିଥିଲେ । ଏହି ଅଭିଯୋଗର ପରଦିନ ପୁଲିସ ଅଭିଯୁକ୍ତକୁ ଗିରଫ କରିଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଅଭିଯୁକ୍ତକୁ କୋର୍ଟ ଜାମିନ ପ୍ରଦାନ କରିଥିଲେ। ପରେ ଏହି ମାମଲାର ଶୁଣାଣି କରି କୋର୍ଟ ଶେଖକୁ ୫ ବର୍ଷ ଜେଲ ଓ ୧୦,୦୦୦ ଟଙ୍କା ଜରିମାନା କରିଛନ୍ତି।