ତିରୁବନନ୍ତପୁରମ୍: କେନ୍ଦ୍ରର ନିଷେଧାଜ୍ଞା ସତ୍ତ୍ବେ ସର୍ବସାଧାରଣଙ୍କ ନିମନ୍ତେ ଗୁରୁବାର ଦିନ ରାଜଧାନୀ ତିରୁବନନ୍ତପୁରମ୍ ଅନ୍ତର୍ଗତ ଶଙ୍ଘୁମୁଘାମ୍ ବେଳାଭୂମିରେ ‘କେରଳ ପ୍ରଦେଶ କଂଗ୍ରେସ କମିଟି’ ‘ବିବିସି’ଦ୍ବାରା ପ୍ରସ୍ତୁତ ‘ଇଣ୍ଡିଆ: ଦି ମୋଦୀ କ୍ବେଶ୍ଚନ୍’ ପ୍ରଦର୍ଶନ କରିଥିଲା।
ସଂଗୃହୀତ ସୂଚନା ଅନୁସାରେ, କର୍ମକର୍ତ୍ତା ଏବଂ ଦଳୀୟ କର୍ମୀଙ୍କ ନିମନ୍ତେ ପ୍ରଥମେ ଏହି ବିବାଦୀୟ ଡକ୍ୟୁମେଣ୍ଟାରି ‘କେରଳ ପ୍ରଦେଶ କଂଗ୍ରେସ କମିଟି’ ମୁଖ୍ୟାଳୟରେ ପ୍ରଦର୍ଶନ କରାଯାଇଥିଲା।
‘କେରଳ ପ୍ରଦେଶ କଂଗ୍ରେସ କମିଟି’ର ସାଧାରଣ ସମ୍ପାଦକ ଜି. ଏସ୍. ବାବୁ କହିଛନ୍ତି, ଏହାକୁ ପ୍ରଦର୍ଶିତ କରି ଆମେ ସର୍ବସାଧାରଣଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ପାଇଛୁ। ଏହି ଡକ୍ୟୁମେଣ୍ଟାରି ଦେଖିବା ଲାଗି ଅନେକ ଲୋକ ଆସିଥିଲେ। ସକାରାତ୍ମକ ପ୍ରତିକ୍ରିୟା ପାଇଥିବାରୁ ଏହାକୁ ଆମେ ସମଗ୍ର ରାଜ୍ୟର କେତେକ ସ୍ଥାନରେ ପ୍ରଦର୍ଶନ କରାଇବାର ବ୍ୟବସ୍ଥା କରିବୁ।
ସେ କହିଛନ୍ତି, ‘କେରଳ ପ୍ରଦେଶ କଂଗ୍ରେସ କମିଟି’ ଉକ୍ତ ଡକ୍ୟୁମେଣ୍ଟାରିର ପ୍ରଥମାର୍ଦ୍ଧର ଉପକ୍ରମ ଓ ସମଗ୍ର ଦ୍ବିତୀୟ ଭାଗ ପ୍ରଦର୍ଶନ କରିଥିଲା। ଏହି ଡକ୍ୟୁମେଣ୍ଟାରିରେ କ’ଣ ଅଛି ଓ କାହା ଉପରେ ଆଧାରିତ ଲୋକେ ତାହା ଜାଣିବାକୁ ଆଗ୍ରହୀ। କଂଗ୍ରେସର କେତେକ ଶାଖା ଏହି ଡକ୍ୟୁମେଣ୍ଟାରିର ପ୍ରଥମ ଭାଗ ରାଜ୍ୟର କେତେକ ପ୍ରାନ୍ତରେ ପ୍ରଦର୍ଶନ କରିସାରିଲାଣି।
କିନ୍ତୁ, ମିଥ୍ୟା ଏବଂ ବିଭ୍ରାନ୍ତିକର ପ୍ରଚାର କହି କେନ୍ଦ୍ର ସରକାର ଏହାକୁ ନିଷେଧ କରିଛନ୍ତି।