ଦୋଷୀମାନଙ୍କୁ ଫାଶୀ ଦେବାରେ ବିଳମ୍ବ ହେଉଥିବା ନେଇ କମ୍ପିଲେ ନିର୍ଭୟାଙ୍କ ମାଆ ଆଶା ଦେବୀ ଓ ବାପା ବଦ୍ରିନାଥ

ନୂଆଦିଲ୍ଳୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀମାନଙ୍କୁ ଫାଶୀ ଦେବାର ତାରିଖ ଘୁଞ୍ଚିବାରେ ଲାଗିଥିବା ନେଇ ଶୁକ୍ରବାର ଅସନ୍ତୋଷ ପ୍ରକାଶ କରିଛନ୍ତି ପୀଡ଼ିତା ନିର୍ଭୟାର ମାଆ ଆଶା ଦେବୀ। ସେ କହିଛନ୍ତି କି ଏପରି ଭାବେ ଫାଶୀ ଘୁଞ୍ଚିବା ବିଶ୍ବକୁ ଏକ ଭୁଲ୍‌ ବାର୍ତ୍ତା ପ୍ରଦାନ କରୁଛି। ନ୍ୟାୟିକ ପ୍ରକ୍ରିୟା ଲଗାତର ଭାବେ ଦଣ୍ଡକୁ ବିଳମ୍ବିତ କରାଇ ଆସୁଛି। ଏ ଲଢ଼େଇ ସେ ଶେଷ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ଆଶା ଦେବୀ କହିଛନ୍ତି।

ଏଥର ନିର୍ଭୟାଙ୍କ ମାଆ ଆଶା ଦେବୀଙ୍କ ସହ ନିର୍ଭୟାଙ୍କ ବାପା ବଦ୍ରିନାଥ ବି ନିଜ ଝିଅକୁ ନ୍ୟାୟ ମିଳୁ ନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେ ନିଜର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ‘ଦୋଷୀମାନଙ୍କ ପାଇଁ ଲଢୁଥିବା ଓକିଲମାନେ ଲଜ୍ଜିତ ହେବା ଉଚିତ। ରାଷ୍ଟ୍ରପତିଙ୍କ ରାଜକ୍ଷମା ସପର୍କିତ ଆଇନକୁ ସେମାନେ ବାରମ୍ବାର ବଦଳାଇବାରେ ଲାଗିଛନ୍ତି। ଓକିଲ ହୋଇ ଏପରି କାମ ଆଦୌ ‌ଶୋଭା ଦେଉ ନାହିଁ।’

DNA India

ଉଲ୍ଲେଖଯୋଗ୍ୟ, ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଫାଶୀ ଦଣ୍ଡରେ ଦଣ୍ଡିତ ଚାରି ଦୋଷୀଙ୍କ ନାମରେ ଆଉ ଏକ ନୂଆ ‘ଡେଥ୍‌ ଓ୍ଵାରେଣ୍ଟ’ ବା ମୃତ୍ୟୁ ପରଓ୍ଵାନା ଜାରି କରିବା ପାଇଁ ତିହାର ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆଗତ ଏକ ଆବେଦନକୁ  ଆଜି ଦିଲ୍ଲୀର ଏକ ଅଦାଲତ ଖାରଜ କରି ଦେଇଛନ୍ତି।

ଏହି ମାମଲାର ଶୁଣାଣି କରି ଅଦାଲତ କହିଛନ୍ତି ଯେ ପୂର୍ବରୁ ଦିଲ୍ଲୀ ହାଇକୋର୍ଟ ଏହି ମାମଲାର ବିଚାର କରି ତାଙ୍କ ରାୟରେ କହିଥିଲେ ଯେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କ ମାମଲାକୁ ଅଲଗା ଅଲଗା ବିଚାର କରାଯାଇ ପାରିବ ନାହିଁ ଏବଂ ଫାଶୀ ଦଣ୍ଡାଦେଶର କାର୍ଯ୍ୟକାରୀତା ପୂର୍ବରୁ ଦୋଷୀମାନଙ୍କ ନିକଟରେ ଯେଉଁ ସମସ୍ତ ନ୍ୟାୟିକ ବିକଳ୍ପ ଉପଲବ୍ଧ ରହିଛି ସେସବୁ ଆସନ୍ତା ୭ ଦିନ ମଧ୍ୟରେ ଶେଷ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେଣୁ, ଏ ପରିସ୍ଥିତିରେ ଆଉ ଥରେ ନୂତନ ‘ଡେଥ୍‌ ଓ୍ଵାରେଣ୍ଟ’ ବା ମୃତ୍ୟୁ ପରଓ୍ଵାନା ଜାରି କରାଯାଇ ପାରିବ ନାହିଁ।

ସମ୍ବନ୍ଧିତ ଖବର