ଗାଜା: ଇସ୍ରାଏଲ-ହମାସ୍ ଯୁଦ୍ଧରେ ଆଜି ଅସ୍ତ୍ରବିରତିର ଦ୍ବିତୀୟ ଦିବସରେ ଗାଜା ଶାନ୍ତ ରହିଥିଲା। ଲୋକଙ୍କ ପାଖରେ ରିଲିଫ୍ ପହଞ୍ଚିବା ସହ ହସ୍ପିଟାଲଗୁଡ଼ିକର ସ୍ଥିତି ସୁଧାରିବା ପାଇଁ କାମ ତ୍ବରାନ୍ବିତ ହୋଇଛି। ତେବେ ଆଜି ଦ୍ବିତୀୟ ପର୍ଯ୍ୟାୟରେ ବନ୍ଦୀ ଓ ପଣବନ୍ଦୀଙ୍କ ହସ୍ତାନ୍ତର ପ୍ରକ୍ରିୟା ଚୁକ୍ତି ମୁତାବକ ସଂପନ୍ନ ହୋଇନଥିବାରୁ ଅସ୍ତ୍ରବିରତିର ସମୟସୀମା ନେଇ ଅନିଶ୍ଚିତତା ଦେଖାଦେଇଛି। ରିଲିଫ୍ ମାମଲାକୁ କେନ୍ଦ୍ରକରି ହମାସ ପଣବନ୍ଦୀମାନଙ୍କୁ ଛାଡ଼ିବାରେ ବିଳମ୍ବ କରିଛି । ଏହାକୁ ନେଇ ଇସ୍ରାଏଲ ହମାସ୍କୁ ଚେତାବନୀ ଦେଇଛି। ଚୁକ୍ତି ମୁତାବକ ପଣବନ୍ଦୀଙ୍କୁ ମୁକ୍ତ ନକଲେ ଇସ୍ରାଏଲ ପୁଣି ଯୁଦ୍ଧ ଆରମ୍ଭ କରିବ ବୋଲି ଘୋଷଣା କରିଛି।
ସୂଚନାଯୋଗ୍ୟ, ଚୁକ୍ତି ମୁତାବକ ଅସ୍ତ୍ରବିରତି ଆଉ ମାତ୍ର ୨ ଦିନ ପାଇଁ ଜାରି ରହିବ । ଅସ୍ତ୍ରବିରତି ସମୟସୀମା ପରେ ପୁଣି ଯୁଦ୍ଧ ଜାରି ରହିବ ବୋଲି ଉଭୟ ପକ୍ଷ କହିଥିବା ବେଳେ ପ୍ରଥମ ଅସ୍ତ୍ରବିରତି ବିଫଳ ହେବାଭଳି ସ୍ଥିତି ଉପୁଜିଛି। ଗତକାଲି ହମାସ୍ ୨୪ ପଣବନ୍ଦୀଙ୍କୁ ମୁକ୍ତ କରିଥିଲା ଏବଂ ଆଜି ୨୫ ଜଣଙ୍କୁ ଛାଡ଼ିବ ବୋଲି ଘୋଷଣା କରିଥିଲା। ତେବେ ରାତି ସୁଦ୍ଧା ଏହା କାର୍ଯ୍ୟକାରୀ ନହେବାରୁ ଇସ୍ରାଏଲରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ଗତକାଲି ଆଜି ଇଜିପ୍ଟର ରାଫା ସୀମା ଦେଇ ଶତାଧିକ ଟ୍ରକ୍ରେ ରିଲିଫ୍ ସାମଗ୍ରୀ ଗାଜା ପ୍ରବେଶ କରିଛି। ଦୈନିକ ପ୍ରାୟ ଦେଢ଼ ଲକ୍ଷ ଲିଟର ଇନ୍ଧନ ଗାଜା ପଠାଯିବ ବୋଲି ଇଜିପ୍ଟ କହିଛି। ଅତ୍ୟାବଶ୍ୟକ ମେଡିକାଲ ଉପକରଣ ଓ ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବା ଲୋକଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଛି। ଯୁଦ୍ଧବିରତି ପରେ ମଧ୍ୟ ଗାଜାକୁ ମାନବିକ ସହାୟତା ଯୋଗାଇବା ନେଇ ଇସ୍ରାଏଲ ପ୍ରତିବନ୍ଧକ ସୃଷ୍ଟି କରିବା ଉଚିତ ନୁହେଁ ବୋଲି ଆରବ ରାଷ୍ଟ୍ରମାନେ କହିଛନ୍ତି। ଇସ୍ରାଏଲ୍ ସରକାରଙ୍କ ରିପୋର୍ଟ ଅନୁଯାୟୀ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାୟ ୧୩ ଶହ ଲୋକଙ୍କର ମୃତ୍ୟୁ ଘଟିଛି। ଏଥି ସହିତ, ପାଲେଷ୍ଟାଇନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏହି ଯୁଦ୍ଧରେ ଏପର୍ଯ୍ୟନ୍ତ ୧୫ ହଜାର ଲୋକଙ୍କର ମୃତ୍ୟୁ ଘଟିଛି। ଏଥିସହିତ ପ୍ରାୟ ୨୩ ଲକ୍ଷ ଲୋକ ବିସ୍ଥାପିତ ହୋଇଛନ୍ତି।