ନୂଆଦିଲ୍ଳୀ: ଜବାହାରଲାଲ ନେହେରୁ ୟୁନିଭରସିଟି(ଜେଏନ୍ୟୁ)ର ପୂର୍ବତନ ଛାତ୍ର ସଂସଦ ସଭାପତି କହ୍ନେୟା କୁମାର ଏବଂ ଅନ୍ୟ କେତେ ଜଣ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗରେ ଦିଲ୍ଲୀ ପୁଲିସ୍ର ସ୍ୱତନ୍ତ୍ର ସେଲ୍ ସୋମବାର ଏକ ଚାର୍ଜସିଟ୍ ଦାଖଲ କରିଛି। ଜେଏନ୍ୟୁର ଅନ୍ୟତମ ଅଭିଯୁକ୍ତ ଛାତ୍ର ଉମର ଖଲିଦ୍ କହ୍ନେୟା କୁମାରଙ୍କୁ ପଠାଇଥିବା ମେସେଜ ପୁଲିସ୍କୁ ଏମାନଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ରଖି ଚାର୍ଜସିଟ୍ ଦାଖଲ କରିବାରେ ସାହାଯ୍ୟ କରିଛି ବୋଲି ଦିଲ୍ଲୀ ପୁଲିସ୍ ସୂଚନା ଦେଇଛି। ଅବଶ୍ୟ ମେସେଜ୍ଟି ଡିଲିଟ୍ କରାଯାଇଥିଲା। ମାତ୍ର ପରେ ଏହାକୁ ଫରେନ୍ସିକ୍ ବିଭାଗ ପୁନରୁଦ୍ଧାର କରିବା ପରେ ମାମଲା ସ୍ପଷ୍ଟ ହୋଇଥିଲା। ଖଲିଦ୍ ପଠାଇଥିବା ମେସେଜ୍କୁ ଭିତ୍ତିକରି ପୁଲିସ୍ ତଦନ୍ତ ଆରମ୍ଭ କରିଥିଲା।
ଜାଣିବାକୁ ମିଳିଛି ଯେ ୨୦୧୬ ମସିହା ଫେବ୍ରୁଆରି ୯ ତାରିଖରେ ଖଲିଦ୍ ମେସେଜ ଜରିଆରେ କହ୍ନେୟାକୁ ଜେଏନ୍ୟୁ ପରିସରରେ ଥିବା ସାବରମତି ଢାବାକୁ ଆସିବାକୁ କହିଥିଲେ। ଆପଣଙ୍କ ସୂଚନା ସକାଣେ ଜଣାଇ ଦେଉଛୁ ଯେ ଏହା ହେଉଛି ସେହି ଢାବା, ଯେଉଁଠାରେ ଫାଶୀ ଦଣ୍ଡ ପାଇଥିବା ଅଫଜଲ୍ ଗୁରୁଙ୍କ ଜନ୍ମଦିନ ମନାଇବା ପାଇଁ ଛାତ୍ରମାନେ ଏକତ୍ର ହୋଇ ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ୨୦୦୧ ମସିହାରେ ସଂସଦ ଉପରେ ଆକ୍ରମଣ କରିଥିବା ଦୋଷରେ ଅଫଜଲ୍ଙ୍କୁ ଫାଶୀ ଦିଆଯାଇଥିଲା।
ଜେଏନ୍ୟୁ ପରିସର ଭିତରେ ହୋଇଥିବା ପ୍ରତିବାଦ ସଭାରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ଉମର ଖଲିଦ୍ ଓ ଅନିର୍ବାଣ ଭଟ୍ଟାଚାର୍ଯ୍ୟ ଥିଲେ ବୋଲି ପୁଲିସ୍ ସୂଚନା ଦେଇଛି। ଖଲିଦ ଓ ଭଟ୍ଟାଚାର୍ଯ୍ୟ ହେଉଥିବା ଇ-ମେଲ୍ କଥୋପକଥନ ବି ଦିଲ୍ଲୀ ପୁଲିସ୍ ହାତରେ ପଡ଼ିଛି। ଇ-ମେଲ୍ ଜରିଆରେ ସେମାନେ କାଶ୍ମୀରକୁ ସ୍ୱାଧୀନ କରିବା ବିଷୟରେ କଥା ହେଉଥିଲେ ବୋଲି ସୂଚନା ରହିଛି।
କହ୍ନେୟା କୁମାର, ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟ, ଆକ୍ୟୁବ୍ ହୁସେନ, ମୁଜିବ ହୁସେନ୍, ମୁନିବ ହୁସେନ, ଉମର ଗୁଲ୍, ରଇୟା ରାସୋଲ୍, ବାସିର ଭଟ୍ଟଙ୍କ ସମେତ ସମୁଦାୟ ୩୫ ଜଣଙ୍କ ବିରୋଧରେ ୧୨୦୦ ପୃଷ୍ଠାର ଚାର୍ଜସିଟ୍ ପୁଲିସ୍ ଦାଖଲ କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ, ଏହି ଛାତ୍ରମାନେ ପରସ୍ପରଙ୍କୁ ୨୦୧୬ ମସିହା ଫେବ୍ରୁଆରି ୯ ତାରିଖ ପୂର୍ବରୁ ଜାଣିଥିଲେ। ଏ ସଂପର୍କରେ ଦିଲ୍ଲୀ ପୁଲିସ୍ ନିକଟରେ ପ୍ରମାଣ ମଧ୍ୟ ରହିଛି।
ଉଲ୍ଲେଖଯୋଗ୍ୟ,୨୦୧୬ ମସିହାରେ ଜେଏନ୍ୟୁରେ ହୋଇଥିବା ଏକ କାର୍ଯ୍ୟକ୍ରମରେ କହ୍ନେଇୟା କୁମାର, ଉମର ଖଲିଦ, ଅନିର୍ବାଣ ଭଟ୍ଟାଚାର୍ଯ୍ୟଙ୍କ ସମେତ ଆଉ କିଛି ଛାତ୍ର ଦେଶ ବିରୋଧୀ ସ୍ଲୋଗାନ ଦେଇଥିଲେ। ସଂସଦ ଉପରେ ଆକ୍ରମଣ କରିଥିବା ମାଷ୍ଟରମାଇଣ୍ଡ୍ ଅଫଜଲ୍ ଗୁରୁଙ୍କୁ ଫାଶୀ ଦିଆଯିବା ପରେ ବିରୋଧ ପ୍ରଦର୍ଶନ କରି ଖଲିଦ ଏବଂ ଭଟ୍ଟାଚାର୍ଯ୍ୟ ଉକ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ।
ଏପରିକି କହ୍ନେଇଆ ଓ ତାଙ୍କର ଅନ୍ୟ ସହଯୋଗୀମାନେ ଦେଖିଥିବା ଦେଶ ବିରୋଧୀ ସ୍ଲୋଗାନର କିଛି ଭିଡିଓ ବି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା। ଭିଡିଓ ଭାଇରାଲ୍ ହେବା ପରେ ଦିଲ୍ଲୀ ପୁଲିସ୍ ସେସବୁକୁ ସଂଗ୍ରହ କରି ପରୀକ୍ଷା ପାଇଁ ଫରେନ୍ସିକ ପରୀକ୍ଷା ପାଇଁ ପଠାଇଥିଲା। ପରୀକ୍ଷା ହେବା ପରେ ସେ ଭିଡିଓଗୁଡ଼ିକ ସତ ବୋଲି ସ୍ପଷ୍ଟ ହୋଇଛି।