ଟିକସ ରିହାତି ତାଲିକାରୁ ଗାନ୍ଧି ପରିବାର ନାମରେ ପରିଚାଳିତ ଟ୍ରଷ୍ଟ ବାଦ୍‌

ନୂଆଦିଲ୍ଲୀ : ଗାନ୍ଧି ଓ ନେହରୁ ପରିବାର ବିରୋଧରେ ସରକାର ଆଉ ଏକ ପଦକ୍ଷେପ ନେଇଛନ୍ତି। ୨୦୨୩-୨୪ ବର୍ଷ ପାଇଁ ସଂସଦରେ ଉପସ୍ଥାପିତ ହୋଇଥିବା ‌ବଜେଟରେ ଏଭଳି ବ୍ୟବସ୍ଥା ହୋଇଛି ଯାହାଦ୍ବାରା ଜବାହରଲାଲ ନେହରୁ ସ୍ମାରକୀ ପାଣ୍ଠି, ଇନ୍ଦିରା ଗାନ୍ଧି ସ୍ମାରକୀ ଟ୍ରଷ୍ଟ ଏବଂ ରାଜୀବ ଗାନ୍ଧି ଫାଉଣ୍ଡେସନ ଭଳି ୩ଟି ସଂସ୍ଥାକୁ ଆୟକର ଆଇନର ୮୦ ଜି ଧାରା ଅଧୀନରେ ଆପେ ମିଳୁଥିବା ଟିକସ ରିହାତି ସଂସ୍ଥାରୁ ବାଦ୍‌ ଦିଆଯାଇଛି।

ସରକାରଙ୍କ କହିବାନୁଯାୟୀ, ଏସବୁ ଟ୍ରଷ୍ଟ/ପ୍ରତିଷ୍ଠାନ ଯେଉଁମାନେ ପୂର୍ବରୁ ସ୍ବୟଂ ୮୦ଜି ଧାରାରେ ସୁବିଧା ପାଇବା ପାଇଁ ଯୋଗ୍ୟ ହେଉଥିଲେ ସେମାନଙ୍କୁ ଟିକସ ରିହାତି ପାଇଁ ନିୟମିତ ପଥରେ ଆସିବାକୁ ହେବ। ସଂପ୍ରତି ଉପରୋକ୍ତ ୩ଟି ସଂସ୍ଥା ସହିତ ପ୍ରଧାନମନ୍ତ୍ରୀଙ୍କ ମରୁଡ଼ି ରିଲିଫ ପାଣ୍ଠିକୁ ଦାନ କରାଯାଉଥିବା ୫୦ ପ୍ରତିଶତ ଅର୍ଥ ୮୦ଜି ଧାରାର ଉପଧାରା ୨ ଅଧୀନରେ ଆୟକର ରିହାତି ପାଉଛନ୍ତି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ଅଧ୍ୟକ୍ଷ ନୀତୀନ ଗୁପ୍ତା ସାମ୍ବାଦିକମାନଙ୍କୁ କହିଛନ୍ତି, ଉପରୋକ୍ତ ୩ଟି ଟ୍ରଷ୍ଟ ଆୟକର ଆଇନର ୮୦ଜି ଧାରା ଅଧୀନରେ ସ୍ବୟଂ ଟିକସ ରିହାତି ସୁବିଧା ପାଇବେ ନାହିଁ। ଯେଉଁ ପ୍ରତିଷ୍ଠାନ ଧାରା ୧୨ଏ ଅଧୀନରେ ପଞ୍ଜିକୃତ ହୋଇଛନ୍ତି ଏବଂ ୮୦ଜି ପଞ୍ଜିକରଣର ରିହାତି ଆବେଦନ କରନ୍ତି ସେମାନଙ୍କୁ ରିହାତି ପ୍ରଦାନ କରାଯାଇଥାଏ। ଏହି ୩ଟି ସଂସ୍ଥା ଧାରା ୧୨ଏ ଅଧୀନରେ ପଞ୍ଜିକରଣ ହୋଇଛନ୍ତି। ତେଣୁ ଏମାନଙ୍କୁ ସ୍ବାଭାବିକ ପ୍ରକ୍ରିୟାରେ ୮୦ଜି ଅଧୀନରେ ରିହାତି ପାଇବା ପାଇଁ କମିସନରଙ୍କ ମଞ୍ଜୁରି ନେବାକୁ ‌ହେବ ବୋଲି ଗୁପ୍ତା କହିଛନ୍ତି। ‌

ତେବେ ଏଭଳି ନିଷ୍ପତ୍ତିକୁ ନେଇ ସରକାର ଏବଂ ବିରୋଧୀଙ୍କ ମଧ୍ୟରେ ଆଉ ଏକ ବିବାଦ ଛିଡ଼ା ହୋଇପାରେ। କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି, ଏହି ପ୍ରସଙ୍ଗକୁ ସେମାନେ ବର୍ତ୍ତମାନ ସୁଦ୍ଧା ଅନୁଧ୍ୟାନ କରିନାହାନ୍ତି। ଠିକ୍ ସମୟରେ ଏହା ଉପରେ ପ୍ରତିକ୍ରିୟା ରଖାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର