ନୂଆଦିଲ୍ଲୀ : ଦିଲ୍ଲୀରେ ଗିରଫ ହୋଇଥିବା ଦୁଇ ଜଣ ସଂଦିଗ୍ଧ ଆତଙ୍କବାଦୀଙ୍କ ଘରୁ ଦୁଇଟି ହାଣ୍ଡ ଗ୍ରେନେଡ୍ ଓ ମଣିଷ ରକ୍ତ ଛିଟା ମିଳିଛି । ଅନ୍ୟପକ୍ଷରେ ଦିଲ୍ଲୀର ଭାଲାସଓ୍ବା ଡାଇରୀ ଅଂଚଳରେ ଥିବା ଏକ ଡ୍ରୋନରୁ ଏକ ବିଖଣ୍ଡିତ ମୃତଦେହ ମିଳିଛି ।

Advertisment

ପୁଲିସର ସୂଚନା ଅନୁସାରେ ଦୁଇ ଅଭିଯୁକ୍ତ ଜଗଜିତ ସିଂ ଓରଫ ଜଗା ଓ ନୌସାଦକୁ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଗତ ଗୁରୁବାର ଦିନ ଗିରଫ କରିଥିଲା । ଏହି ଦୁଇ ବ୍ୟକ୍ତିଙ୍କ ସମ୍ପର୍କ ଏକ ଆତଙ୍କବାଦୀ ସଂଗଠନ ଓ ଏକ ଅପରାଧ ସାମ୍ରାଜ୍ୟ ସହ ଥିବା ସଂଦେହ କରାଯାଉଛି ।  ଶୁକ୍ରବାରଦିନ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା ଓ କୋର୍ଟ ସେମାନଙ୍କୁ ୧୪ ଦିନ ପାଇଁ ପୁଲିସ ହାଜତକୁ ପଠାଇଦେଇଥିଲେ । ଅଭିଯୁକ୍ତମାନେ ଭାଲାସଓ୍ବା ଡାଇରୀ ଅଂଚଳରେ ଘରଭଡ଼ା ନେଇ ରହୁଥିଲେ । ସେମାନଙ୍କ ସେହି ଘରୁ ୨ଟି ଗ୍ରେନେଡ ଓ ମଣିଷରକ୍ତ ଛିଟା ମିଳିଥିଲା ।

ଅନ୍ୟପକ୍ଷରେ ସେହି ଅଂଚଳର ଏକ ଡ୍ରେନରୁ ଏକ ମୃତଦେହ ମିଳିବାପରେ ଅଭିଯୁକ୍ତଙ୍କ ସହ ଉକ୍ତ ମୃତବ୍ୟକ୍ତିର କୌଣସି ସଂପର୍କ ରହିଛି କି ନା ସେ ସମ୍ପର୍କରେ ପୁଲିସ ତଦନ୍ତ କରୁଛି ।

ହତ୍ୟା ପରେ ମୃତ ବ୍ୟକ୍ତିକୁ ୮ ଖଣ୍ଡ କରାଯାଇଥିବା ପୁଲିସ ସଂଦେହ କରୁଛି । ପୁଲିସ ଏବେ ବି ମୃତଦେହଟିକୁ ଚିହ୍ନଟ କରିପାରି ନାହିଁ । ତେବେ ମୃତବ୍ୟକ୍ତି କୌଣସି ଡ୍ରଗ ରାକେଟ ସହ ସଂପୃକ୍ତ ଥିବା କୁହାଯାଉଛି । ଉକ୍ତ ବ୍ୟକ୍ତିକୁ ୨୦-୨୫ ଦିନ ପରେ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି ।