କୋଭାକ୍ସିନ୍ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ; ପ୍ରଥମ ଟିକା ନେଇଥିବା ଏମ୍ସ ଡାକ୍ତର କହିଲେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ନାହିଁ
ନୂଆଦିଲ୍ଲୀ: ଭାରତ ଦୁନିଆର ସେହି ଦେଶମାନଙ୍କ ମଧ୍ୟରେ ସାମିଲ ହୋଇଛି ଯେଉଁମାନେ କୋଭିଡ-୧୯ ମହାମାରୀ ସଂକ୍ରମଣ ରୋକିବା ଦିଗରେ ସଫଳତା ପାଇଛନ୍ତି। ଦିଲ୍ଲୀସ୍ଥିତ ଏମ୍ସର ମୁଖ୍ୟ ସ୍ନାୟୁବିଶେଷଜ୍ଞ ଡାକ୍ତର ଏମବି ପଦ୍ମା ଶ୍ରୀବାସ୍ତବ କହିଛନ୍ତି, ଭାରତ ଶସ୍ତାରେ ଟିକା ତିଆରି କରିବା ଦିଗରେ ଆଗକୁ ବଢ଼ୁଛି।
ଡାକ୍ତର ଶ୍ରୀବାସ୍ତବ ଗତ ସପ୍ତାହରେ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ସାମିଲ ହୋଇଥିଲେ। କୋଭାକ୍ସିନ୍ ଭାରତରେ ପ୍ରସ୍ତୁତ କରୋନା ଟିକା । ଏହାକୁ ଆଇସିଏମଆର ସାହାଯ୍ୟରେ ଔଷଧ ନିର୍ମାତା କମ୍ପାନି ଭାରତ ବାୟୋଟେକ ପ୍ରସ୍ତୁତ କରୁଛି।
ଡାକ୍ତର ଶ୍ରୀବାସ୍ତବଙ୍କ କହିବାନୁସାରେ, ମୁଁ ଗତ ଗୁରୁବାର ଦିଲ୍ଲୀ ଏମ୍ସରେ କୋଭାକ୍ସିନର ପ୍ରଥମ ଟିକା ନେଇଥିଲି। ଆଗାମୀ ଟିକା ୨୮ଦିନ ପରେ ଦିଆଯିବ। ଟିକା ନେବା ପର ଠାରୁ ଏଯାବତ୍ କାହାଠାରେ କୌଣସି ପ୍ରକାର ପାର୍ଶ୍ବ ପ୍ରତିକ୍ରିୟା ହୋଇନାହିଁ।
କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ୧,୦୦୦ରୁ ଅଧିକ ଲୋକଙ୍କ ପଞ୍ଜିକରଣ କରିବା ନେଇ ଏମ୍ସର ଯୋଜନା ରହିଛି। ଯେଉଁମାନେ ପ୍ରଥମ ଟିକା ନେଇଥିଲେ ସେମାନଙ୍କ ମଧ୍ୟରୁ ଏଯାବତ ୪୦ରୁ ୫୦ଜଣ ସ୍ବେଚ୍ଚାସେବୀ ନିଜର ପଞ୍ଜିକରଣ କରିନେଇଛନ୍ତି।