ନୂଆଦିଲ୍ଲୀ : ଦିଲ୍ଲୀ ଏମ୍ସର ସର୍ଭର ଲଗାତାର ୬ ଦିନ ଧରି କାମ କରୁନି। ସାଇବର ଆଟାକ୍ ଯୋଗୁଁ ଦିଲ୍ଲୀ ଏମ୍ସର ଇ-ହସ୍ପିଟାଲ ସିଷ୍ଟମ ଅଚଳ ହୋଇଯାଇଛି। ହସ୍ପିଟାଲ୍ର ସର୍ଭର ସମ୍ପୂର୍ଣ୍ଣ ଭାବେ ଡାଉନ୍ ହୋଇଯାଇଛି। ଦିଲ୍ଲୀ ଏମ୍ସରେ ହୋଇଥିବା ରାନସମୱେୟାର ଆଟାକ୍ ମାମଲାର କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍, ଦିଲ୍ଲୀ ପୁଲିସ ଏବଂ କେନ୍ଦ୍ର ଗୃହ ମନ୍ତ୍ରାଳୟର ପ୍ରତିନିଧିମାନେ ତଦନ୍ତ କରୁଥିବା ବେଳେ ହ୍ୟାକରମାନେ ଆଜି ଦିଲ୍ଲୀ ଏମ୍ସଠାରୁ କ୍ରିପ୍ଟୋକରେନ୍ସିରେ ୨୦୦ କୋଟି ଟଙ୍କା ଦାବି କରିଛନ୍ତି। ପ୍ରାୟ ୩-୪ କୋଟି ରୋଗୀଙ୍କ ତଥ୍ୟ ଲିକ୍ ହେବାର ଭୟ ରହିଛି।
ସର୍ଭର ଡାଉନ୍ ଯୋଗୁଁ ଏମର୍ଜେନ୍ସି ମାମଲାଗୁଡ଼ିକ ପାଇଁ ଅତି ଜଟିଳ ସ୍ଥିତି ଉପୁଜିଛି। ଏନେଇ ନଭେମ୍ବର ୨୫ ତାରିଖରେ ଦିଲ୍ଳୀ ପୁଲିସ ଆଇଏଫଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ ଆଣ୍ଡ ଷ୍ଟ୍ରାଟେଜିକ ଅପରେନ୍ସ) ଦ୍ବାରା ଦାଦାବଟି ଆଦାୟ ଏବଂ ସାଇବର ଆତଙ୍କବାଦ ନେଇ ମାମଲା ରୁଜୁ ହୋଇଛି। ଗୁଇନ୍ଦା ସଂସ୍ଥାମାନଙ୍କ ସୁପାରିସକ୍ରମେ ହସ୍ପିଟାଲ୍ର କମ୍ପ୍ୟୁଟରମାନଙ୍କରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ଉଲ୍ଲେଖଯୋଗ୍ୟ, ଏମ୍ସ ସର୍ଭରରେ ଅନେକ ଭିଆଇପିଙ୍କ ତଥ୍ୟ ରହିଛି। ପୂର୍ବତନ ପ୍ରଧାନମନ୍ତ୍ରୀ, ମନ୍ତ୍ରୀ, ଅମଲା ଏବଂ ବିଚାରପତିମାନଙ୍କ ତଥ୍ୟ ଏମ୍ସ ସର୍ଭରରେ ଗଚ୍ଛିତ ହୋଇ ରହିଛି।