ଦିଲ୍ଲୀ ପ୍ରଦୂଷଣ : ସରକାରଙ୍କୁ ସୁପ୍ରିମ୍ କୋର୍ଟଙ୍କ ଭର୍ତ୍ସନା
ନଡ଼ା ଜାଳିବା ଏକ ସଂଗଠିତ ପାପ: ସୁପ୍ରିମ୍ କୋର୍ଟ, ପଞ୍ଜାବରେ ୩୭,୯୩୫ ‘ଫାର୍ମ ଫାୟାର’ ମାମଲା
ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ନେଇ ଆଜି ସୁପ୍ରିମ୍ କୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନଙ୍କୁ ଭର୍ତ୍ସନା କରିଛନ୍ତି। ପ୍ରଦୂଷଣ ରୋକିବାରେ କେନ୍ଦ୍ର ଓ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ପ୍ରଦୂଷଣ ଯୋଗୁଁ ଲୋକେ ମରୁଛନ୍ତି, ବିମାନ ଚଳାଚଳର ଗତିପଥ ପରିବର୍ତ୍ତନ କରିବାକୁ ପଡୁଛି, ଲୋକେ ଘରୁ ବାହାରି ପାରୁନାହାନ୍ତି ଏବଂ ଜୀବନ ଦୁର୍ବିଷହ ହୋଇ ପଡ଼ିଲାଣି ବୋଲି କୋର୍ଟ କହିଛନ୍ତି। ମାତ୍ର ସରକାର ଏସବୁ ପ୍ରତି ଆଖି ବୁଜିଦେଇ ଏବଂ ବାସ୍ତବତାଠାରୁ ଦୂରେଇ ରହି ନିଜର ସଫଳତା ବଖାଣିବାରେ ବ୍ୟସ୍ତ ବୋଲି କୋର୍ଟ କହିଛନ୍ତି। ଚାଷୀମାନେ କ୍ଷେତରେ ନଡ଼ା ଜାଳି ପରିବେଶକୁ ନଷ୍ଟ କରି ଚାଲିଛନ୍ତି। ମାତ୍ର ସରକାର ଏହାକୁ ରୋକିବାରେ ଆନ୍ତରିକ ପ୍ରୟାସ କରିନାହାନ୍ତି। ନଡ଼ା ଜାଳି ପରିବେଶକୁ ପ୍ରଦୂଷଣ କରିବା ଏକ ସଂଗଠିତ ପାପ ବୋଲି ସୁପ୍ରିମ୍ କୋର୍ଟ କଡ଼ା ଭାଷାରେ କହିଛନ୍ତି।
ଦିଲ୍ଲୀରେ ଉତ୍କଟ ପ୍ରଦୂଷଣ ଯୋଗୁଁ ଲୋକେ ଘର ଭିତରେ ରହିବା ବି ସମ୍ଭବପର ହେଉନାହିଁ। ସରକାର ବାସ୍ତବ ସ୍ଥିତି ହୃଦୟଙ୍ଗମ କରି ସେହି ଆଧାରରେ ପଦକ୍ଷେପ ନେବା ବଦଳରେ କେବଳ କ୍ଷମତା ଭୋଗ କରିଚାଲିବା କିଭଳି ନ୍ୟାୟ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଲୋକଙ୍କ ସମସ୍ୟା ବୁଝିବାକୁ ସରକାରୀ କଳ ସମର୍ଥ ହେଉନାହିଁ ବୋଲି କୋର୍ଟ କହିଛନ୍ତି। ବିଚାରପତି ଅରୁଣ ମିଶ୍ର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ନଡ଼ା ଜାଳିବା ଘଟଣାକୁ ନେଇ ଭୀଷଣ ଅସନ୍ତାଷ ପ୍ରକାଶ କରିଛନ୍ତି। ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶର ଚାଷୀମାନେ ମାତ୍ରାଧିକ ନଡ଼ା ଜାଳି ପରିବେଶକୁ ଅଧିକ ଦୂଷିତ କରିଛନ୍ତି। ସମ୍ପୃକ୍ତ ରାଜ୍ୟ ଓ କେନ୍ଦ୍ର ସରକାର ଏ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଏ ତିନି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ହାଜର ହେବାକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ତିନି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନଡ଼ା ଜାଳିବା ବନ୍ଦ କରିବା ନେଇ କଡ଼ା ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି। ଏହିସବୁ ରାଜ୍ୟରେ ଲକ୍ଷାଧିକ ଚାଷୀ ନଡ଼ା ଜାଳୁଛନ୍ତି। ଏହାକୁ ନିୟନ୍ତ୍ରଣ କରିବା ସମ୍ଭବ ନୁହେଁ ବୋଲି ମୁଖ୍ୟ ଶାସନ ସଚିବମାନେ ନିଜର ପକ୍ଷ ରଖି କହିଥିଲେ। ମାତ୍ର, ଯେକୌଣସି ମୂଲ୍ୟ ବଦଳରେ ଏହାକୁ ବନ୍ଦ କରିବାକୁ ହେବ ବୋଲି କୋର୍ଟ କହିଥିଲେ। ପଞ୍ଜାବରେ ଚଳିତବର୍ଷ ମଙ୍ଗଳବାର ସୁଦ୍ଧା ଏ ବାବଦ ୩୭,୯୩୫ଟି ‘ଫାର୍ମ ଫାୟାର’ ବା ନଡ଼ାପାଳ ଜାଳିବା ଘଟଣା ସାମ୍ନାକୁ ଆସିଛି। ଗତବର୍ଷ ଏହି ସଂଖ୍ୟା ୪୯,୦୦୦ ଥିଲା। ନଡ଼ା ଜାଳିବା କାର୍ଯ୍ୟରୁ ଦୂରେଇ ରହିଥିବା ଚାଷୀମାନଙ୍କୁ ପ୍ରତି କୁଇଣ୍ଟାଲ ପିଛା ୧ଶହ ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।