ଦିଲ୍ଲୀ ପବନରେ ବିଷ! ପିଏମ୍‌ ୨.୫ ସ୍ତର ୫୦୦ ଟପିଲା, ୩ ନଭେମ୍ବର ପରେ ସ୍ଥିତି ସୁଧୁରିବ: ପାଣିପାଗ ବିଭାଗ

ନୂଆଦିଲ୍ଲୀ : ଦୀପାବଳିର ତିନି ଦିନ ପରେ ଆଜି ଦିଲ୍ଲୀ ଏନ୍‌ସିଆର୍‌ରେ ପ୍ରଦୂଷଣ ସ୍ଥିତି ସାଂଘାତିକ ହୋଇଛି। ଦିଲ୍ଲୀରେ ପିଏମ୍‌ (ସୂକ୍ଷ୍ମ ଧୂଳିକଣା) ୨.୫ର ସ୍ତର ୫୦୦ ଅତିକ୍ରମ କରିଛି। ଦିଲ୍ଲୀର ଲୋଧି ରୋଡ୍‌ ସ୍ଥିତ ବାୟୁ ଗୁଣବତ୍ତା ସୂଚକାଙ୍କ ରିପୋର୍ଟ ଅନୁଯାୟୀ ପିଏମ୍‌ ୨.୫ ସ୍ତର ୫୦୬ରେ ପହଞ୍ଚିଛି ଏବଂ ପିଏମ୍‌ ୧୦ର ସ୍ତର ୩୭୯ରେ ପହଞ୍ଚି ଯାଇଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଅତି ଖରାପ ସ୍ତରରେ ପହଞ୍ଚିଥିବାରୁ ଜନସାଧାରଣ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି। ତେବେ ପ୍ରଦୂଷଣ ସ୍ତର ଲଗାତାର ବଢ଼ି ଚାଲିଥିବାରୁ ଏହାକୁ ନେଇ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଗତକାଲି ଲୋକଙ୍କୁ ଶ୍ବାସ ନେବାରେ କଷ୍ଟ ହୋଇଥିଲା। ଦିଲ୍ଲୀ ସରକାର ପ୍ରଦୂଷଣ ନେଇ ସୁରକ୍ଷା ନିର୍ଦ୍ଦେଶାବଳୀ ଜାରି କରିବା ସହ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ପଦକ୍ଷେପ ନେଇଛନ୍ତି। ପାଣିପାଗ ବିଭାଗ ଆଜି ଦିଲ୍ଲୀ ପ୍ରଦୂଷଣ ନେଇ କହିଛି ଯେ ପଂଜାବ-ହରିୟାଣାରେ ନଡ଼ାପାଳ ପୋଡ଼ି ଯୋଗୁଁ ଆସୁଥିବା ଧୂଆଁ ଦିଲ୍ଲୀର ବାୟୁ ପ୍ରଦୂଷଣ ସ୍ତରକୁ ବଢ଼ାଇ ଦେଇଛି। ଏହି ସ୍ଥିତି ନଭେମ୍ବର ୩ ତାରିଖ ପରେ ହିଁ ସୁଧୁରିବ ବୋଲି ପାଣିପାଗ ବିଭାଗ ଅଧିକାରୀ କେ. ଶ୍ରୀବାସ୍ତବ କହିଛନ୍ତି। ଦୀପାବଳି ରାତିରେ ପ୍ରବଳ ବାଣ ଫୁଟିବା ପରେ ସ୍ଥିତି ବିଗିଡ଼ି ଯାଇଥିଲା।

ସମ୍ବନ୍ଧିତ ଖବର