ନୂଆଦିଲ୍ଲୀ: ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର କାର୍ଯ୍ୟପନ୍ଥା‌ ଗ୍ରହଣ କରୁଛନ୍ତି ବୋଲି ଦାବି କରୁଥିଲେ ସୁଦ୍ଧା ଦିଲ୍ଲୀରେ ବାୟୁର ମାନ ଦିନକୁ ଦିନ ଅତ୍ୟନ୍ତ ଖରାପ ହେବାରେ ଲାଗିଛି। ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀ ସରକାର ଗତ କିଛି ଦିନରେ ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ସୁପ୍ରିମକୋର୍ଟ ସେଥିରେ ଆଦୌ ସନ୍ତୁଷ୍ଟ ନାହାନ୍ତି।

Advertisment

ପ୍ରଧାନ ବିଚାରପତି ଏନ୍‌ଭି ରମଣା କହିଛନ୍ତି, ଲଗାତାର ୪ ସପ୍ତାହ ଧରି କୋର୍ଟ ଦିଲ୍ଳୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରଦୂଷଣ ମାମଲାରେ ଶୁଣାଣି କରୁଛନ୍ତି । କିନ୍ତୁ ବାସ୍ତବରେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଏଯାବତ କିଛି ପଦକ୍ଷେପ ଗ୍ରହଣ ହୋଇନି। କେବଳ ସମୟ ନଷ୍ଟ କରାଯାଉଛି ବୋଲି ପ୍ରଧାନ ବିଚାରପତି କହିଛନ୍ତି। ଆଜି ଶୁଣାଣି ବେଳେ କୋର୍ଟ କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କୁ କଡ଼ା ଚେତାବନୀ ଦେଇ ୨୪ ଘଣ୍ଟାର ସମୟ ପ୍ରଦାନ କରିଛନ୍ତି। ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ହେବାପାଇଁ କୋର୍ଟ ଶିଳ୍ପ ଏବଂ ଯାନାବାହନ ଚଳାଚଳକୁ ଦାୟୀ କରିଛନ୍ତି । ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଏବଂ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ପଦକ୍ଷେପ ଗ୍ରହଣ ପାଇଁ କୋର୍ଟ କେନ୍ଦ୍ର, ଦିଲ୍ଲୀ ଏବଂ ପଡ଼ୋଶୀ ରାଜ୍ୟମାନଙ୍କୁ ୨୪ ଘଣ୍ଟାର ସମୟ ଦେଇଛନ୍ତି। ଏହି ସମୟସୀମା ଭିତରେ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାନଗଲେ ଆଦେଶ ଜାରି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ଅନ୍ୟପକ୍ଷେ ଦିଲ୍ଲୀ ସରକାର ସ୍କୁଲ ଖୋଲିବା ପ୍ରସଙ୍ଗକୁ ମଧ୍ୟ ସୁପ୍ରିମକୋର୍ଟ କଡ଼ା ବିରୋଧ କରିଛନ୍ତି। ‌କୋର୍ଟ କହିଛନ୍ତି, ୩-୪ ବର୍ଷର ଶିଶୁ ସ୍କୁଲ୍‌ ଯାଉଛନ୍ତି କିନ୍ତୁ ବୟସ୍କମାନେ ଘରେ ବସି କାମ କରୁଛନ୍ତି। ଦିଲ୍ଲୀ ସରକାରକୁ ପରିଚାଳନା କରିବାପାଇଁ ଆମକୁ ଜଣଙ୍କୁ ନିଯୁକ୍ତ କରିବାକୁ ପଡ଼ିବ ବୋଲି ପ୍ରଧାନ ବିଚାରପତି କହିଛନ୍ତି ଏବଂ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟଙ୍କ ସମାଲୋଚନା‌ ପରେ ଦିଲ୍ଲୀ ସରକାର ତୁରନ୍ତ ସମସ୍ତ ସ୍କୁଲ୍‌ ବନ୍ଦ ଘୋଷଣା କରିଛନ୍ତି ।

ଅନ୍ୟପକ୍ଷେ ପ୍ରଧାନ ବିଚାରପତି ଦିଲ୍ଲୀରେ ପ୍ରଦୂଷଣ ବଢ଼ିବାକୁ ନେଇ କୋର୍ଟରେ ଉପସ୍ଥିତ ଥିବା ସଲିସିଟର ଜେନେରାଲ ତୁଷାର ମେହଟାଙ୍କୁ ପ୍ରଶ୍ନ କରିଛନ୍ତି। ପ୍ରଦୂଷଣ କାହିଁକି ବଢ଼ୁଛି ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏମର୍ଜେନ୍ସି ସମୟରେ ସରକାର ସକ୍ରିୟ ଭାବେ କାମ କରିବାକୁ ପଡ଼ିବ। କିନ୍ତୁ ଆମକୁ କ’ଣ ପ୍ରତିଥର କେଉଁ ପଦକ୍ଷେପ ଗ୍ରହଣ ହେବ ତାହା ସରକାରଙ୍କୁ କହିବାକୁ ହେବ କି ବୋଲି ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। ୨୦-୩୦ ସଦସ୍ୟ ବିଶିଷ୍ଟ କମିଟି ଗଠନ ହେବାର ମାନେ କ’ଣ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଅମଲାତନ୍ତ୍ରରେ ନିଜେ ସକ୍ରିୟ ହୋଇ ପ୍ରଦୂ‌ଷଣ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନ ବିଚାରପତି କହିଛନ୍ତି।