ଦିଲ୍ଲୀରେ ବି ମାନିଲେନି, ଢୋ ଢା ଫୁଟାଇଲେ

ନୂଆଦିଲ୍ଲୀ : ଦୀପାବଳି ପରେ ପରେ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସାଂଘାତିକ ହୋଇଛି। ଦୀପାବଳିରେ ବାଣ ଓ ବିସ୍ଫୋରକର ପ୍ରୟୋଗ ଯୋଗୁଁ ବାୟୁର ମାନ ବିପଜ୍ଜନକ ହୋଇପଡ଼ିଛି। ବାଣି ବିକ୍ରି ଓ ବ୍ୟବହାରକୁ ନେଇ ଥିବା କଟକଣାକୁ ଅନେକ ଖାତିର୍‌ କରିନାହାନ୍ତି। ଦିଲ୍ଲୀ, ପଞ୍ଜାବ, ହରିଆଣା ଓ ଉତ୍ତରପ୍ରଦେଶରେ ନଡ଼ା ଜାଳିବା ଯୋଗୁଁ ମଧ୍ୟ ଦିଲ୍ଲୀ ପ୍ରଦୂଷଣ ସ୍ତର ବଢ଼ିଯାଇଛି। ବାଣ ଫୁଟାଇବା ଓ ନଡ଼ା ଜାଳିବା ଯୋଗୁଁ ଦିଲ୍ଲୀର ପିଏମ୍‌ ୨.୫ ପ୍ରଦୂଷଣ ୩୨ ପ୍ରତିଶତ‌ ବୃଦ୍ଧି ପାଇଛି। ଏହି ପିଏମ୍‌ ୨.୫ ଧୂଳିକଣା ସ୍ତର ମଣିଷ କେଶର ବ୍ୟାସର ୩ ପ୍ରତିଶତ ସୁକ୍ଷ୍ମ ହୋଇଥିବାରୁ ମୃତ୍ୟୁର କାରଣ ହୋଇଥାଏ। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନ‌ା ଅନୁସ‌ାରେ, ଆଜି ସକାଳ ୬ଟାରେ ଦିଲ୍ଲୀର ପିଏମ୍‌୧୦ ସ୍ତର ୫୪୩ /ଏମ୍‌୩ ରହିଥିଲା। ପିଏମ୍‌୧୦ ସ୍ତର ୧୦୦/ଏମ୍‌୩ ନିରାପଦ ଥିଲାବେଳେ ଦିଲ୍ଲୀରେ ଏହା ଅସ୍ବାଭାବିକ ଭାବେ ବୃଦ୍ଧି ପାଇଛି। ଜିଆର୍‌ଏପି (ଗ୍ରେଡେଡ୍‌ ରେସ୍‌ପନ୍‌ସ ଆକ୍ସନ ପ୍ଲାନ୍‌) ଅନୁସାରେ, ଯେତେବେଳେ ପିଏମ୍‌୨.୫ ସ୍ତର ୩୦୦/ଏମ୍‌୩ ଏବଂ ପିଏମ୍‌୧୦ ସ୍ତର ୫୦୦/ଏମ୍‌୩ ଊର୍ଦ୍ଧ୍ବରେ ରହିବ ସେତେବେଳେ ବାୟୁର ମାତ୍ରାକୁ ‘ଅତି ସାଂଘାତିକ’ (ସିଭିୟର ପ୍ଲସ୍‌) ବୋଲି ବିଚାର କରାଯିବ। ତେବେ ଦିଲ୍ଲୀର ବାୟୁରେ ପିଏମ୍‌୨.୫ ଏବଂ ପିଏମ୍‌୧୦ ସ୍ତର ‘ଅତି ସାଂଘାତିକ’ ପାଖାପାଖି ହୋଇଛି।

ଗତକାଲି ରାଜଧାନୀ ଦିଲ୍ଲୀରେ ଅତିମାତ୍ରାରେ ବାଣ ଫୁଟାଯିବା ଫଳରେ ବାୟୁ ବିଷାକ୍ତ ହୋଇପଡ଼ିଛି। ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌ (ଏନ୍‌ଜିଟି) ବାଣ ଫୁଟାଇବା ଉପରେ କଟକଣା ଜାରି କରିଥିବା ସତ୍ତ୍ବେ ଦିଲ୍ଲୀରେ ବାଣ ଫୁଟାଯାଇଥିଲା। ଏହି ଘଟଣାରେ ଦିଲ୍ଲୀ ପୁଲିସ ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ୬୩୮ କିଲୋ ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। ଯଦି ଗତକାଲି ଦୀପାବଳି ଅବସରରେ ବାଣ ଫୁଟାଯାଇ ନଥାନ୍ତା, ତେବେ ଚଳିତ ଦୀପାବଳିରେ ଦିଲ୍ଲୀର ପିଏମ୍‌୨.୫ ସ୍ତର ଗତ ୪ ବର୍ଷ ମଧ୍ୟରେ ସବୁଠୁ କମ୍‌ ରହିଥା‌ନ୍ତା ବୋଲି ‘ସଫର୍‌’ (ଭାରତ ସରକାରଙ୍କ ଭୂ-ବିଜ୍ଞାନ ଓ ବାୟୁ ମାନ ସୂଚକ) ସୂଚାଇ ଦେଇଥିଲା। ଏହା ସତ୍ତ୍ବେ ଦିଲ୍ଲୀରେ ମାତ୍ରାଧିକ ବାଣ ଫୁଟାଯାଇଛି।

ସମ୍ବନ୍ଧିତ ଖବର