ଦିଲ୍ଲୀ ବାୟୁ ପ୍ରଦୂଷଣ ଉଦ୍‌ବେଗଜନକ :ସ୍ୱାସ୍ଥ୍ୟଗତ ଜରୁରୀ ପରିସ୍ଥିତି ଘୋଷଣା କଲା

ଆଇଏମ୍‌ଏବୁଧବାର ସ୍କୁଲ ଛୁଟି ପାଇଁ ସରକାରଙ୍କ ନିର୍ଦ୍ଦେଶଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣା ସରକାରଙ୍କୁ ଜବାବ୍‌ ମାଗିଲେ ଏନ୍‌ଜିଟି

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ପୁଣି ବାୟୁ ପ୍ରଦୂଷଣ ସାଂଘାତିକ ରୂପ ନେଇଛି ।  ଗତ ଦୁଇ ଦିନ ମଧ୍ୟରେ ପ୍ରଦୂଷଣର ମାତ୍ରା ପ୍ରାୟ ତିନିଗୁଣ ବୃଦ୍ଧି ପାଇଥିବାରୁ ପରିବେଶବିତ୍‌ମାନେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ବିଷାକ୍ତ ବାୟୁ ଯୋଗୁଁ   ନିଶ୍ୱାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡୁଛି । ଖାଲି ଆଖିରେ ଦେଖିବା ମଧ୍ୟ ସମ୍ଭବ ହେଉନାହିଁ । ଦିଲ୍ଲୀରେ ଏଭଳି ବର୍ଦ୍ଧିତ ପ୍ରଦୂଷଣକୁ ଦେଖି ସ୍ୱାସ୍ଥ୍ୟଗତ ଜରୁରୀ ପରିସ୍ଥିତି ଘୋଷଣା କରିଛି ଇଣ୍ଡିଆନ୍‌ ମେଡିକାଲ ଆସୋସିଏସନ୍‌ (ଆଇଏମ୍‌ଏ)। ବିନା ମାସ୍କ୍‌ରେ ବାହାରେ ନବୁଲିବା ପାଇଁ ଆଇଏମ୍‌ଏ ପକ୍ଷରୁ କୁୂହାଯାଇଛି । ଏଭଳି ପରିସ୍ଥିତିରେ ବୁଧବାର ସମସ୍ତ ସ୍କୁଲ ,କଲେଜ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବର୍ଷ ଶୀତ ଋତୁରେ ଏଭଳି ବିଷାକ୍ତ କୁହୁଡି ବଳୟ ସୃଷ୍ଟି ହେଉଛି । କିନ୍ତୁ ଏହାର ପ୍ରତିକାର ନିମନ୍ତେ  ସରକାର କୌଣସି ଯୋଜନାବଦ୍ଧ ପଦକ୍ଷେପ କାହିଁକି ନେଉ ନାହାନ୍ତି ବୋଲି ଜାତୀୟ ଗ୍ରୀନ୍‌ ଟ୍ରିବୁନାଲ ( ଏନ୍‌ଜିଟି ) ଦିଲ୍ଲୀ, ହରିୟାଣା ଓ ଉତ୍ତରପ୍ରଦେଣ ସରକାରଙ୍କୁ ଜବାବ ତଲବ କରିଛନ୍ତି ।

ତେବେ ଦିଲ୍ଲୀରେ ଏଭଳି ପରିବେଶ ଆହୁରି  ୪-୫ ଦିନ ଯାଏଁ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବାୟୁମଣ୍ଡଳରେ ଅତିମାରାତ୍ମକ ନାଇଟ୍ରୋଜେନ୍‌ ଅକ୍ସାଇଡ୍‌ ସ୍ତର ବୃଦ୍ଧି ପାଇଛି । ଚଳିତ ଶୀତଋତୁ ଆରମ୍ଭରୁ ଏହି ବିଷାକ୍ତ ଗ୍ୟାସ୍‌ ପରିମାଣ ଧିରେ ଧିରେ ବୃଦ୍ଧି ହୋଇଥିବା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କୁହାଯାଇଛି । ବର୍ତ୍ତମାନ ଦିଲ୍ଲୀ ଓ ଏହାର ଆଖପାଖ ବାୟୁମଣ୍ଡଳରେ ଏହି ନାଇଟ୍ରୋଜେନ୍‌ ଗ୍ୟାସ୍‌ର ସ୍ତର ସାଢେ ସାତଗୁଣ ବୃଦ୍ଧି ହୋଇଛି । ସାଧାରଣତଃ ବାୟୁମଣ୍ଡଳରେ ଏହି ଗ୍ୟାସ୍‌ର ପରିମାଣ ୮୦ ଏମ୍‌ଜିସିଏମ୍‌ ରହିଥାଏ। ମାତ୍ର ଏବେ ଏହି ଗ୍ୟାସ୍‌ର ମାତ୍ରା ୬୦୦ ଏମ୍‌ଜିସିଏମ୍‌ରୁ ଅଧିକ । ପ୍ରବଳ କୁହୁଡି  ଯୋଗୁଁ ବିମାନ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଆଗକୁ ୩ ଦିନ ଯାଏଁ ବିମାନ ସେବା ବାତିଲ ରଖିବାକୁ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର କର୍ତ୍ତୁପକ୍ଷ ନିଷ୍ପତ୍ତି ନେଇଛନ୍ତି। ସମସ୍ତ ସରକାରୀ ସ୍ଥାନ ଗୁଡିକରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥିବା ସିଆଇଏସ୍‌ଏଫ ଜବାନ୍‌ ମାନଙ୍କ ପାଇଁ ୯ହଜାର ମାସ୍କ ଦିଆଯାଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର