ନୂଆଦିଲ୍ଲୀ: ଦିଲ୍ଲୀରେ ବାୟୁ ମାନ ପୁଣି ବିପଜ୍ଜନକ ରୂପ ନେଇଛି। ‘ଅତି ଖରାପ’ ଶ୍ରେଣୀରୁ ଆଜି ଏହା ‘ସାଂଘାତିକ’ ଶ୍ରେଣୀରେ ପହଞ୍ଚିଯାଇଛି। ଅପରାହ୍ନ ୪ଟାରେ ଦିଲ୍ଲୀରେ ବାୟୁମାନ ସୂଚକାଙ୍କ (ଏକ୍ୟୁଆଇ) ୪୦୭ ରହିଥିଲା। ଗତ ରାତିରେ ଏହା ‘ଅତି ଖରାପ’ ଶ୍ରେଣୀରେ ଥିବା ବେଳେ ବାୟୁ ପ୍ରବାହରେ ସମସ୍ୟା ଯୋଗୁଁ ଆଜି ସକାଳେ ମାନ ପୁଣି ବିଗିଡ଼ି ଯାଇଥିଲା। ବାୟୁ ମାନରେ ଏଭଳି ଅବନତି ଯୋଗୁଁ କେତେକ ଜରୁରୀ କଟକଣା ମଧ୍ୟ ଲାଗୁ କରାଯାଇଛି ଏବଂ ନିର୍ମାଣ କାର୍ଯ୍ୟ ଉପରେ ସଂପୂର୍ଣ୍ଣ ରୋକ୍‌ ଲାଗିଛି। ପ୍ରଦୂଷଣ ସୃଷ୍ଟିକାରୀ କାରଖାନାଗୁଡ଼ିକୁ ତତ୍କାଳ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ପଶ୍ଚିମ ଦିଲ୍ଲୀରେ ବାୟୁ ମାନ ସବୁଠୁ ଅଧିକ ଖରାପ ରହିଛି। ଲୋକମାନେ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି ଏବଂ ଆଖି ଜଳିବା ଭଳି ସମସ୍ୟା ସାମ୍ନା କରୁଛନ୍ତି। ପ୍ରଦୂଷଣ ବୃଦ୍ଧି ହେତୁ ଆଗକୁ ଅଧିକ କଟକଣା ଘୋଷଣା ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ଏକ୍ୟୁଆଇ ୪୦୦ରୁ ଅଧିକ ରହିଲେ ଏହା ସାଂଘାତିକ ଶ୍ରେଣୀଭୁକ୍ତ ହୋଇଥାଏ। ଜାନୁଆରି ୯ ଏବଂ ୧୦ ତାରିଖରେ ମଧ୍ୟ‌ ଦିଲ୍ଲୀରେ ବାୟୁମାନ ସାଂଘାତିକ ବର୍ଗରେ ରହିଥିଲା।