ନୂଆଦିଲ୍ଲୀ: ଲଗାତର ଆଠ ଦିନ ଦିଲ୍ଲୀର ବାୟୁ ପ୍ରଦୂଷଣ ‘ଗମ୍ଭୀର’ ରହିଥିବା ବେଳେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଛି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଏବେ ‘ଗମ୍ଭୀରରୁ’ ‘ଅତ୍ୟନ୍ତ ଖରାପ’ ବର୍ଗକୁ ଖସିଛି। ସକାଳ ୭ଟା ସୁଦ୍ଧା ଏକ୍ୟୁଆଇ ୩୭୯ ଥିବା ରେକର୍ଡ କରାଯାଇଛି।
ଅବଶ୍ୟ, ଜାତୀୟ ରାଜଧାନୀର ବିଭିନ୍ନ ଏୟାର ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ୪୦୦ ରୁ ଅଧିକ ଥିଲା; ଯାହାକି "ଗମ୍ଭୀର ବର୍ଗ" ଅଧୀନରେ ରହିଥିଲା। ସେଣ୍ଟ୍ରାଲ୍ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ ଜାହାଙ୍ଗୀରପୁରୀ ଏବଂ ୱାଜିରପୁର ସର୍ବାଧିକ ୪୩୭ ରେ ପହଞ୍ଚିଛି। ସେହିପରି ବାୱାନାରେ ୪୧୯, ଅଶୋକ ବିହାର ଏବଂ ମୁଣ୍ଡକାରେ ୪୧୬ରେ ରେକର୍ଡ ହୋଇଛି।
ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ଦିଲ୍ଲୀର ତାପମାତ୍ରା ଗୁରୁବାର ସର୍ବନିମ୍ନ ୧୧ ଡିଗ୍ରୀ ସେଲସିୟସରୁ ସର୍ବାଧିକ ୨୬ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ରହିବ।
ଧୂଆଁର ଏକ ଘନ ସ୍ତର ଜାତୀୟ ରାଜଧାନୀକୁ ଆଚ୍ଛାଦିତ କରି ରଖିଛି। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୃଶ୍ୟମାନତା ହ୍ରାସ ପାଇ ବିମାନ ଚଳାଚଳ ବ୍ୟାହତ ହୋଇଛି। ଫ୍ଲାଇଟ୍ରାଡାର ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୯୭ ବିମାନ ବିଳମ୍ବ ହୋଇଛି ଏବଂ ୩ଟି ବାତିଲ ହୋଇଛି।