ନୂଆଦିଲ୍ଲୀ: ଦୀପାବଳିର ଦିନକ ପୂର୍ବରୁ ଦିଲ୍ଲୀରେ ବାୟୁ ମାନ ଅତି ଖରାପ ହୋଇଯାଇଛି। ଦିଲ୍ଲୀର ପଡ଼ୋଶୀ ରାଜ୍ୟ ପଂଜାବ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶରେ ନଡ଼ାପାଳ ଜାଳିବା ଘଟଣା ପାଇଁ ଦିଲ୍ଲୀରେ ପ୍ରଦୂଷଣ ବଢ଼ିଯାଇଛି। ପ୍ରଦୂଷଣ ପାଇଁ ଦିଲ୍ଲୀରେ ଲୋକେ ଜଟିଳ ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଂଜାବରେ ଗତ କିଛିଦିନ ମଧ୍ୟରେ ନଡ଼ାପାଳ ଜାଳିବା ଘଟଣା ବୃଦ୍ଧି ପାଇଛି। ଅକ୍ଟୋବର ୨୫ରେ ୭୧ଟି ନଡ଼ାପାଳ ଜାଳିବା ଘଟଣା ରେକର୍ଡ ହୋଇଥିବା ବେଳେ ଅକ୍ଟୋବର ୨୯ରେ ୨୧୯ଟି ଘଟଣା ରେକର୍ଡ ହୋଇଥିଲା। ରାଜସ୍ଥାନ, ମଧ୍ୟପ୍ରଦେଶରେ ମଧ୍ୟ ନଡ଼ାପାଳ ଜାଳିବା ଘଟଣା ବୃଦ୍ଧି ପାଇଛି। ଏଥିସହ ଦୀପାବଳିରେ ବାଣ ଫୁଟିଲେ ପରିସ୍ଥିତି ଆହୁରି ଅଧିକ ଶୋଚନୀୟ ହୋଇଯିବ। ଦିଲ୍ଲୀର କିଛି ସ୍ଥାନରେ ଏବେ ବାୟୁର ମାନ ଅତି ଖରାପ ରହିଛି। ବୁଧବାର ଦିଲ୍ଲୀକୁ ଏକ ଧୂଆଁ ମିଶ୍ରିତ କୁହୁଡ଼ି ଆଚ୍ଛାଦିତ କରି ରଖିଛି। ବାୟୁର ମାନ ଦୁଇ ଦିନ ମଧ୍ୟରେ ସାଂଘାତିକ ସ୍ଥିତିରେ ପହଞ୍ଚିବ ବୋଲି ଆଶଙ୍କା କରାଯାଉଛି।
ପଡ଼ୋଶୀ ରାଜ୍ୟରେ ନଡ଼ାପାଳ ଜାଳିବା ଯୋଗୁଁ ପ୍ରଦୂଷଣ ଥମୁନି
ପ୍ରଦୂଷଣ ନିୟମ ଉଲ୍ଲଂଘନ ପାଇଁ ୨୪ ଦିନରେ ୪୭ କୋଟି ଜରିମାନା
ଦିଲ୍ଲୀରେ ୮ଟି ମନିଟରିଂ ଷ୍ଟେସନ୍ ତଥା ନିରୀକ୍ଷଣ କେନ୍ଦ୍ର ରେଡ୍ ଜୋନ୍ରେ ଅଛି। ପ୍ରଦୁଷଣ ନିୟମ ଉଲ୍ଲଂଘନ ପାଇଁ ଟ୍ରାଫିକ ପୁଲିସ ଅକ୍ଟୋବର ୧ ତାରିଖରୁ ୨୪ ତାରିଖ ମଧ୍ୟରେ ୪୭ କୋଟି ଟଙ୍କା ଜରିମାନା କରିଛି। ଟ୍ରାଫିକ ପୁଲିସ ଡ୍ରାଇଭରମାନଙ୍କ ଉପରେ ୪୭ ହଜାର ଚାଲାଣ କାଟିଛି। ଦିଲ୍ଲୀରେ ବାୟୁର ମାନ ଆଜି ଅତି ଖରାପ ସ୍ତରରେ ରହିଛି। ଏଭଳି ସ୍ଥିତିରେ ବାଣ ଫୁଟାଇବା ଉପରେ ରହିଥିବା କଟକଣା କଡ଼ାକଡ଼ି ଭାବେ ପାଳନ କରିବାକୁ ବିଭିନ୍ନ ମହଲ ଦାବି କରିଛନ୍ତି।