ଦିଲ୍ଲୀ ଓ ୟୁପିର ସ୍ଥିତି ସାଂଘାତିକ: ସମ୍ବଲ୍‌, ଲକ୍ଷ୍ନୌରେ ବ୍ୟାପକ ହିଂସା, ଜଣେ ମୃତ

ୟୁପି ସରକାରଙ୍କ କଠୋର ଆଭିମୁଖ୍ୟ, ଦଙ୍ଗାକାରୀ ଚିହ୍ନଟ, ସମ୍ପତ୍ତି ଜବତ ହେବ

ଉତ୍ତରପ୍ରଦେଶରେ ସିଏଏ ବିରୋଧୀ ଆନ୍ଦୋଳନ ଅତ୍ୟନ୍ତ ଉଗ୍ର ରୂପ ନେଉଥିବାରୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି କେତେକ କଠୋର ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟରେ ଆନ୍ଦୋଳନ ଓ ହିଂସା ପାଇଁ ବ୍ୟାପକ ଭାବେ ସରକାରୀ ସମ୍ପତ୍ତି ନଷ୍ଟ ହୋଇଥିବାରୁ ‌ଯୋଗୀ ତୀବ୍ର ଅସ‌ନ୍ତୋଷ ପ୍ରକାଶ କରିଛନ୍ତି। ଆନ୍ଦୋଳନ ନାଁରେ ହିଂସା ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଭିଡିଓ ଫୁଟେଜ୍‌ ଦ୍ବାରା ଦଙ୍ଗାକାରୀଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ଏବଂ ସେମାନଙ୍କୁ ସରକାରୀ ସମ୍ପତ୍ତିର କ୍ଷତି ଭରଣା କରିବାକୁ ପଡ଼ିବ ବୋଲି ଯୋଗୀ କହିଛନ୍ତି। ଏଥିପାଇଁ ସେମାନଙ୍କ ସମ୍ପତ୍ତି ଜବତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଯୋଗୀ ଘୋଷଣା କରିଛନ୍ତି।

ଲକ୍ଷ୍ନୌ : ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଚାଲିଥିବା ଆନ୍ଦୋଳନ ଆଜି ଉତ୍ତରପ୍ରଦେଶରେ ଭୟଙ୍କର ରୂପ ନେଇଛି। ଲକ୍ଷ୍ନୌ ଏବଂ ସମ୍ବଲ୍‌ରେ ପ୍ରବଳ ହିଂସା ଯୋଗୁଁ ଅଣାୟତ୍ତ ସ୍ଥିତି ସୃଷ୍ଟି ହୋଇଛି। ଲକ୍ଷ୍ନୌରେ ଆନ୍ଦୋଳନକାରୀମାନେ ପୁଲିସ ଉପରକୁ ପ୍ରବଳ ପଥର ମାଡ଼ କରିଛନ୍ତି ଏବଂ ଏକ ପୁଲିସ ଫାଣ୍ଡି ବାହାରେ ଥିବା ବିଭିନ୍ନ ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି। ପୁଲିସ ମଧ୍ୟ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାପାଇଁ ଲାଠିମାଡ଼ କରିଛି ଏବଂ ଲୁହବୁହା ଗ୍ୟାସ୍‌ସେଲ୍‌ ପ୍ରୟୋଗ କରିଛି। ଅନ୍ୟପକ୍ଷେ ସମ୍ବଲ୍‌ରେ ଆନ୍ଦୋଳନକାରୀମାନେ ଏକ ରାଜ୍ୟ ପରିବହନ ବସ୍‌ରେ ନିଆଁ ଲଗାଇ ଦେଇଛନ୍ତି। ମିଳିଥିବା ସୂଚନା‌ ଅନୁଯାୟୀ ଲକ୍ଷ୍ନୌର ପରିବର୍ତ୍ତନ ଚୌକରେ ୨୦ଟି ମୋଟର ସାଇକେଲ୍‌, ୧୦ଟି କାର, ୩ଟି ବସ୍‌ ଏବଂ ୪ଟି ମିଡିଆ ଓବି ଭ୍ୟାନ୍‌ରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇ ଦେଇଛନ୍ତି। ଲକ୍ଷ୍ନୌରେ ପୁଲିସ ବାହିନୀ ଉପରେ ଆକ୍ରମଣ ଯୋଗୁଁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଗୁଳି ଚାଳନା କରାଯାଇଥିଲା ଏବଂ ପୁଲିସ ଗୁଳିରେ ଜଣେ ଆନ୍ଦୋଳନକାରୀର ମୃତ୍ୟୁ ଘଟିଛି। ସିଏଏକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ଅନେକ ସାମ୍ବାଦିକ ମଧ୍ୟ ଆକ୍ରମଣର ଶିକାର ହୋଇଛି। ଆନ୍ଦୋଳନକାରୀମାନେ ୪ଟି ବସ୍‌ ଏବଂ ପୁଲିସ ଗାଡ଼ି ଭଙ୍ଗାରୁଜା କରିଛନ୍ତି। ୫୦ରୁ ଅଧିକ ଉପଦ୍ରବକାରୀଙ୍କୁ ପୁଲିସ ଅଟକ ରଖିଥିବା ବେଳେ ସିଧାସଳଖ ହିଂସାରେ ସାମିଲ ଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି। ହାସନଗଂଜ ଏବଂ ଖଦ୍ରା ଥାନା ଅଧୀନରେ ଆଜି ପୁଲିସ ଏବଂ ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିଲେ। ପୁଲିସ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିବା ବେଳେ ବିଶୃଙ୍ଖଳ ଜନତା‌ ପୁଲିସ ଉପରକୁ ପଥର ମାଡ଼ କରିଥିଲେ ଏବଂ ପରେ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ମଦେଗଞ୍ଜରେ ମଧ୍ୟ ଏକ ପୁଲିସ ଫାଣ୍ଡିକୁ ଜାଳି ଦିଆଯାଇଛି।

ସମ୍ବନ୍ଧିତ ଖବର