ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ପାଇଁ ଆଜି ଭୋଟ୍ ଗ୍ରହଣ ଶେଷ ହୋଇଛି। ୨୦୧୫ ନିର୍ବାଚନରେ ଭୋଟ୍ ହାର୍ ୬୭.୪୭% ଥିବାବେଳେ ଆଜି ୬୧.୪୬% ମତଦାତା ଭୋଟ ଦେଇଛନ୍ତି। ଏହାସହିତ ବିଭିନ୍ନ ନ୍ୟୁଜ୍ ଚ୍ୟାନେଲ ଏବଂ ଏଜେନ୍ସିମାନଙ୍କ ଦ୍ବାରା କରାଯାଇଥିବା ଏକ୍ଜିଟ୍ ପୋଲ (ବୁଥ୍ ବାହୁଡ଼ା ମତ) ସର୍ଭେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ରିପୋର୍ଟ ଅନୁସାରେ ଏଥର ମଧ୍ୟ ଅରବିନ୍ଦ େକଜ୍ରିୱାଲଙ୍କ ନେତୃତ୍ବାଧୀନ ଆମ୍ ଆଦ୍ମି ପାର୍ଟି (ଆପ୍) ପୁଣି ସରକାର ଗଠନ କରିବ। ଦିଲ୍ଲୀ ବିଧାନସଭାର ମୋଟ ୭୦ ଆସନରୁ ଆପ୍କୁ ୫୫ ଆସନ ମିଳିବ ବୋଲି ପ୍ରାୟ ସମସ୍ତ ଏକ୍ଜିଟ୍ ପୋଲରେ ଦେଖିବାକୁ ମିଳିଛି। ବିଜେପି ସ୍ଥିତିରେ ଏଥର କିଛି ସୁଧାର ହୋଇଥିଲେ ମଧ୍ୟ ଏହା ସରକାର ଗଠନଠାରୁ ବହୁତ ପଛରେ ରହିଛି ବୋଲି ଅନୁମାନ କରାଯାଇଛି। ଏଥର ନିର୍ବାଚନରେ ମଧ୍ୟ କଂଗ୍ରେସର ସ୍ଥିତି ସବୁଠାରୁ ଶୋଚନୀୟ ରହିଛି। ଅଧିକାଂଶ ଏକ୍ଜିଟ୍ ପୋଲରେ କଂଗ୍ରେସ ସର୍ବାଧିକ ଗୋଟିଏ ଆସନ ପାଇବ ବୋଲି କୁହାଯାଇଛି। ତେବେ ଆସନ୍ତା ୧୧ ତାରିଖ ଦିନ ଭୋଟ୍ ଗଣତି ପରେ ଚିତ୍ର ସ୍ପଷ୍ଟ ହୋଇଯିବ।
ଟାଇମ୍ସ ନାଓ ଏକ୍ଜିଟ୍ ପୋଲ ମୁତାବକ ଦିଲ୍ଲୀରେ ଆପ୍କୁ ୪୭ ଆସନ ଏବଂ ବିଜେପିକୁ ୨୩ ଆସନ ମିଳିବାର ସମ୍ଭାବନା ରହିଛି। କଂଗ୍ରେସ ଦିଲ୍ଲୀରେ ଖାତା ଖୋଲିପାରିବ ନାହିଁ ବୋଲି କୁହାଯାଇଛି। ନ୍ୟୁଜ୍ ଏକ୍ସ-ନେତାର ଏକ୍ଜିଟ୍ ପୋଲ ମୁତାବକ ଦିଲ୍ଲୀରେ ଆମ୍ ଆଦ୍ମି ପାର୍ଟି ୭୦ରୁ ୫୫ ଆସନ ଦଖଲ କରିବ। ଏହି ପୋଲ୍ରେ ବିଜେପିକୁ ୧୪ ଆସନ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବ ବୋଲି ଦର୍ଶାଯାଇଛି। ଜନ୍ କୀ ବାତ୍ ଏକଜ୍ଟି ପୋଲ୍ରେ ଆପ୍କୁ ୪୮ରୁ ୬୧ ଆସନ ଏବଂ ବିଜେପିକୁ ୯ରୁ ୨୧ ଆସନ ମିଳିବ ବୋଲି କୁହାଯାଇଛି। କଂଗ୍ରେସକୁ ଦିଲ୍ଲୀରେ ଗୋଟିଏ ବି ଆସନ ମିଳିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି। ସେହିଭଳି ଇଣ୍ଡିଆ ନ୍ୟୁଜ୍ ଏବଂ ନ୍ୟୁଜ୍ ନେସନ ଏକ୍ଜିଟ୍ ପୋଲ୍ ମୁତାବକ ଦିଲ୍ଲୀରେ ଆପ୍କୁ ୫୫, ବିଜେପିକୁ ୧୪ ଏବଂ କଂଗ୍ରେସକୁ ଗୋଟିଏ ଆସନ ମିଳିବାର ସମ୍ଭାବନା ରହିଛି।
ଏବିପି ନ୍ୟୁଜ୍ ସି ଭୋଟର୍ ଏକ୍ଜିଟ୍ ପୋଲ୍ରେ ଆପ୍କୁ ୪୯ରୁ ୬୩ ଆସନ, ବିଜେପିକୁ ୫ରୁ ୧୯ ଆସନ ଏବଂ କଂଗ୍ରେସକୁ ୦ରୁ ୪ ଆସନ ମିଳିବ ବୋଲି କୁହାଯାଇଛି। ଟିଭି୯-ଭାରତବର୍ଷ ସିସେରୋ ଏକ୍ଜିଟ୍ ପୋଲ୍ରେ ଆପ୍କୁ ୫୪, ବିଜେପିକୁ ୧୫ ଏବଂ କଂଗ୍ରେସକୁ ୧ ଆସନ ମିଳିବ ବୋଲି ଦର୍ଶାଯାଇଛି।
ସୂଚନାଯୋଗ୍ୟ ଯେ ଗତ ବିଧାନସଭା ନିର୍ବାଚନରେ ଆପ୍କୁ ୬୭ ଆସନ ମିଳିଥିବା ବେଳେ ବିଜେପିକୁ ୩ଟି ଆସନ ମିଳିଥିଲା। କଂଗ୍ରେସ ଖାତା ଖୋଲିପାରିନଥିଲା। ଆପ୍କୁ ୫୪.୩ ଭାଗ ମିଳିଥିବା ବେଳେ ବିଜେପିକୁ ୩୨ ଏବଂ କଂଗ୍ରେସକୁ ୯.୬ ଭାଗ ଭୋଟ୍ ମିଳିଥିଲା।
ନିର୍ବାଚନ ପରେ ଆଜି ଏକଜିଟ୍ ପୋଲ ପ୍ରକାଶ ପାଇବା ପରେ ବିଜେପି ତୁଙ୍ଗ ନେତାମାନଙ୍କର ବୈଠକ ଡକାଯାଇଛି ଏବଂ ଏଥିରେ ସମ୍ଭାବ୍ୟ ପରାଜୟ ନେଇ ସମୀକ୍ଷା କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/delhi-election-f.jpg)