ଦିଲ୍ଲୀ ବିଧାନସଭା ନିର୍ବାଚନ: ଶିକ୍ଷା ବ୍ୟବସ୍ଥାକୁ ନେଇ ଶାହ-କେଜ୍ରିୱାଲ ମୁହାଁମୁହିଁ

ନୂଆଦିଲ୍ଲୀ: ଦିଲ୍ଲୀର ସ୍କୁଲ୍‌ ଶିକ୍ଷା ବ୍ୟବସ୍ଥାକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମୁହାଁମୁହିଁ ହୋଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀରେ ସ୍କୁଲ୍‌ ଶିକ୍ଷା‌ରେ କିଭଳି ବଡ଼ ଧରଣର ଉନ୍ନତି ସାଧନ ହୋଇପାରିଛି, ତାହା ବୁଲି ଦେଖିବାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଆହ୍ବାନ ଜଣାଇଥିଲେ। ଗୃହମନ୍ତ୍ରୀ ଶାହ କେଜ୍ରିୱାଲଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି ଆଜି ଟ୍ବିଟ୍‌ କରିଛନ୍ତି। ଶାହ କହିଛନ୍ତି, ‘ଅରବିନ୍ଦ କେଜ୍ରିୱାଲଜୀ, ଆପଣ ମୋତେ ଦିଲ୍ଲୀ ସରକାରଙ୍କ ଦ୍ବାରା ପରିଚାଳିତ ସ୍କୁଲ ପରିଦର୍ଶନ କରିବାକୁ କହିଥିଲେ। ତାହାକୁ ମୁଁ ଗ୍ରହଣ କରି ୮ ଜଣ ବି‌ଜେପି ସାଂସଦଙ୍କୁ ବିଭିନ୍ନ ସ୍କୁଲ ପଠାଇଥିଲି। ମାତ୍ର ଦିଲ୍ଲୀର ସ୍କୁଲମାନଙ୍କ‌ରେ ଶିକ୍ଷା ଅବସ୍ଥା ଏତେ ଶୋଚନୀୟ ଯେ, ଆପଣ ମିଥ୍ୟା କହୁଛନ୍ତି ବୋଲି ପ୍ରମାଣିତ ହୋଇଛି। ଆପଣ ଏହାର କି ଜବାବ ରଖିବେ ବୋଲି ଶାହ କେଜ୍ରିୱାଲଙ୍କୁ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେଜ୍ରିୱାଲ ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଦିଲ୍ଲୀର ସ୍କୁଲ ପରିଦର୍ଶନ କରିବାକୁ ଚ୍ୟାଲେଞ୍ଜ କରିଥିଲେ। କେଜ୍ରିୱାଲ କହି‌ଥିଲେ, ‘ଶାହାଜୀ ଆପଣ କେତେବେଳେ ସ୍କୁଲ ପରିଦର୍ଶନରେ ଆସିବେ ଜଣାଇଲେ ମୁଁ ସମସ୍ତ କାର୍ଯ୍ୟକ୍ରମ ବାତିଲ କରି ଆପଣଙ୍କ ସହିତ ଯିବି। ମୁଁ ଆପଣଙ୍କୁ ଦିଲ୍ଲୀର ସ୍କୁଲ ସବୁ ବୁଲାଇ ଦେଖାଇବି ଏବଂ ଦିଲ୍ଲୀ ସରକାରଙ୍କ ପରିଚାଳିତ ସ୍କୁଲର ଶିକ୍ଷା ବ୍ୟବସ୍ଥା କେତେ ଉନ୍ନତ ତାହା ପ୍ରମାଣିତ କରିପାରିବି ବୋଲି କେଜ୍ରିୱାଲ ଆହ୍ବାନ ଦେଇଥିଲେ। ତେବେ ‌କେଜ୍ରିୱାଲଙ୍କ ଏହି ଚ୍ୟାଲେଞ୍ଜକୁ ଶାହ ଗ୍ରହଣ କରି ଆଜି ୮ ଜଣ ବିଜେପି ସାଂସଦଙ୍କୁ ବିଭିନ୍ନ ସ୍କୁଲକୁ ପଠାଇଥିଲେ। ଦିଲ୍ଲୀ ନିର୍ବାଚନ ପାଖେଇ ଆସୁଥିବାବେଳେ କେଜ୍ରିୱାଲ-ଶାହଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ଏବେ ରୋଚକ ସ୍ଥିତିରେ ପହଞ୍ଚିଛି।

ସମ୍ବନ୍ଧିତ ଖବର