ଦିଲ୍ଲୀ ବିଧାନସଭା ନିର୍ବାଚନ : ଯୋଗୀଙ୍କ ପ୍ରଚାରରେ କଟକଣା ଲଗାଇବାକୁ ଆପ୍‌ର ଦାବି

ନୀତୀଶଙ୍କ ନିଶାଣରେ କେଜ୍ରିୱାଲ

ନୂଆଦିଲ୍ଲୀ : ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନୀ ପ୍ରଚାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇବାକୁ ଆଜି ଆମ୍‌ ଆଦ୍‌ମି ପାର୍ଟି ପକ୍ଷରୁ ନିର୍ବାଚନ କମିସନଙ୍କ ନିକଟରେ ଦାବି କରାଯାଇଛି। ସୂଚନାଯୋଗ୍ୟ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କର ପାକିସ୍ତାନ ସହ ସମ୍ପର୍କ ଅଛି ଏବଂ କେଜ୍ରିୱାଲ ଜଣେ ମାନସିକ ରୋଗୀ ବୋଲି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦିଲ୍ଲୀର ଏକ ନିର୍ବାଚନୀ ପ୍ରଚାରରେ କହିଥିଲେ। ତେବେ ଏହାକୁ ଆପ୍‌ ତୀବ୍ର ବିରୋଧ କରିବା ସହିତ ଯୋଗୀ ଆଦିତ୍ୟନାଥଙ୍କ ନିର୍ବାଚନ ପ୍ରଚାର ଉପରେ କଟକଣା ଲଗାଯାଉ ବୋଲି ଦାବି କରିଛି। କେଜ୍ରିୱାଲ୍‌ଙ୍କ ପାକିସ୍ତାନ ସହ ସମ୍ପର୍କ ଅଛି ବୋଲି ଯୋଗୀ ଆଦିତ୍ୟନାଥ ଯେଉଁ ବୟାନ ଦେଇଥିଲେ ତାହାର ପ୍ରମାଣ ଦିଅନ୍ତୁ ବୋଲି ଆଜି ଆପ୍‌ ନେତା ସଂଜୟ ସିଂହ ଆହ୍ବାନ ଦେଇଛନ୍ତି। କେଉଁ ଆଧାରରେ ଯୋଗୀ ଆଦିତ୍ୟନାଥ ଏଭଳି ବୟାନ ଦେଇଛନ୍ତି, ତାହାର ପ୍ରମାଣ ଦିଅନ୍ତୁ। ପ୍ରମାଣ ନ ଦେଇ ପାରିଲେ ତାଙ୍କୁ ତୁରନ୍ତ ଗିରଫ କରିବାକୁ ସଞ୍ଜୟ ସିଂହ ଦାବି କରିଛନ୍ତି। ତେବେ ଏଭଳି ବୟାନ ଦେବା ସତ୍ତ୍ବେ ନିର୍ବାଚନ କମିସନ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି କାହିଁକି ନିରବ ରହିଛନ୍ତି ବୋଲି ସଞ୍ଜୟ ପ୍ରଶ୍ନ କରିଛନ୍ତି।

Hindustan

ନୀତୀଶଙ୍କ ନିଶାଣରେ କେଜ୍ରିୱାଲ
ନୂଆଦିଲ୍ଲୀ : ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନାମ ନନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। କିଛି ଲୋକ କାମ ନ କରି କେବଳ ଆତ୍ମପ୍ରଚାରରେ ବ୍ୟସ୍ତ ଅଛନ୍ତି। କିନ୍ତୁ ଆମେ ସେଭଳି କରୁନାହୁଁ ବୋଲି ଦିଲ୍ଲୀର ଏକ ନିର୍ବାଚନୀ ରୢାଲିରେ ଯୋଗ ଦେଇ କେଜ୍ରିୱାଲ୍‌ଙ୍କ ଉଦ୍ଦେଶ୍ୟରେ ନୀତିଶ କହିଛନ୍ତି। ବିଗତ ୫ ବର୍ଷ ମଧ୍ୟରେ ଦିଲ୍ଲୀର ବିକାଶ ଆଦୌ ହୋଇନାହିଁ ବୋଲି ନୀତୀଶ କହିଛନ୍ତି। ଦକ୍ଷିଣ ଦିଲ୍ଲୀର ସଂଗମବିହାର ବିଧାନସଭା ନିର୍ବାଚନମଣ୍ଡଳୀରୁ ଜେଡିୟୁ ପ୍ରାର୍ଥୀ ଭାବେ ଲଢୁଥିବା ଏସ୍‌.ସି.ଏଲ୍‌. ଗୁପ୍ତାଙ୍କ ପାଇଁ ପ୍ରଚାର କରି ଆଜି ନୀତୀଶ କେଜ୍ରିୱାଲ ସରକାର କେବଳ ଅନର୍ଥକାରୀ ନୀତିରେ ଚାଲିଥିବା କହିଛନ୍ତି। ବିପୁଳ ଭୋଟ ପାଇ ଯେଉଁମାନେ ବିଜୟୀ ହୋଇଥିଲେ, ସେମାନେ ଦିଲ୍ଲୀବାସୀଙ୍କୁ ପ୍ରତାରଣା କରିଛନ୍ତି। ବିହାର ଭଳି ଏକ ଗରିବ ରାଜ୍ୟ ସେଠାକାର ଅଧିବାସୀଙ୍କୁ ନିଯୁକ୍ତି, ଶିକ୍ଷା, ସ୍ବାସ୍ଥ୍ୟ, ବିଜୁଳି, ପାଣି ଯୋଗାଇ ଦେଉଥିବା ବେଳେ ଦିଲ୍ଲୀରେ ତାହା ସମ୍ଭବ ହୋଇପାରୁନି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି। ସୂଚନାଯୋଗ୍ୟ, ଆସନ୍ତା ୮ରେ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ସହିତ ଜେଡିୟୁ ଏବଂ ଲୋକ ଜନଶକ୍ତି ପାର୍ଟି ନିର୍ବାଚନୀ ମେଣ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର