ଭୋଟ୍‌ ଦେବେ ୧୫୦ ଶତାୟୁ ଭୋଟର

କପିଲ ଗୁଜ୍ଜରକୁ ‘ଆପ୍‌’ର ସଦସ୍ୟ କହିଥିବା ଡିସିପି ନିର୍ବାଚନ ପ୍ରକ୍ରିୟାରୁ ହଟିଲେ, ବିତର୍କ ପାଇଁ ଶାହଙ୍କୁ ଚ୍ୟାଲେଂଜ କଲେ କେଜ୍ରିୱାଲ୍‌

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ପାଖାପାଖି ୧୫୦ ଜଣ ଶତାୟୁ ଭୋଟର୍‌ ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ଦିଲ୍ଲୀରେ ଶତାୟୁ ‌ଭୋଟରମାନଙ୍କ ମତଦାନ ପାଇଁ ସବୁ ପ୍ରକାର ସୁବିଧା କରାଯାଇଛି। ନିର୍ବାଚନ ଅଧିକାରୀମାନେ ମଧ୍ୟ ଶତାୟୁ ଭୋଟରଙ୍କ ଘରକୁ ଯାଇ ସେମାନଙ୍କୁ କିପରି ବୁଥ୍‌କୁ ନିଆଯିବ ସେ ବ୍ୟବସ୍ଥା କରୁଛନ୍ତି। କିଛି ଲୋକ ଭୋଟ୍‌ ଦେବାକୁ ରାଜି ନଥିବାବେଳେ ସେମାନଙ୍କୁ ଭୋଟ୍‌ ଦେବାପାଇଁ ବୁଝାଯାଉଛି। ତେବେ ବୟସ୍କ ଲୋକଙ୍କୁ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିବନି ବୋଲି କମିସନଙ୍କ ସୂତ୍ରରୁ ଜଣାପଡ଼ିଛି। ବୟସ୍କଙ୍କୁ ଭିଭିଆଇପି ସୁବିଧା‌ ଦିଆ‌ଯିବ। ୧୧୦ ବର୍ଷୀୟା ରାମ ପ୍ୟାରି ଶଙ୍କୱାରଙ୍କୁ ଦିଲ୍ଲୀ ନିର୍ବାଚନରେ ସବୁଠୁ ବୟସ୍କା ଭୋଟର୍‌ ଭାବେ ଘୋଷଣା କରାଯାଇଛି।

କପିଲ ଗୁଜ୍ଜରକୁ ‘ଆପ୍‌’ର ସଦସ୍ୟ କହିଥିବା ଡିସିପି ନିର୍ବାଚନ ପ୍ରକ୍ରିୟାରୁ ହଟିଲେ
ନୂଆଦିଲ୍ଲୀ : ଶାହିନ୍‌ ବାଗରେ ସିଏଏ ବିରୋଧୀ ଆନ୍ଦୋଳନ ସ୍ଥଳରେ ଗୁଳି ଫୁଟାଇଥିବା କପିଲ ଗୁଜ୍ଜର ଆମ୍‌ ଆଦ୍‌ମି ପାର୍ଟିର ସଦସ୍ୟ ବୋଲି କହିଥିବା ପୁଲିସ ଅଧିକାରୀଙ୍କୁ ନିର୍ବାଚନ କମିସନ ନିର୍ବାଚନ ପରିଚାଳନା‌ରୁ ହଟାଇ ନେଇଛନ୍ତି। ଜଣେ ପୁଲିସ ଅଧିକାରୀ ଏଭଳି ରାଜନୈତିକ ବୟାନବାଜି କରିବା ଉଚିତ ନୁହେଁ ବୋଲି ନିର୍ବାଚନ କମିସନ ଦିଲ୍ଲୀ ପୁଲିସ ମୁଖ୍ୟଙ୍କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ, ଡେପୁଟି ପୁଲିସ କମିସନର ରାଜେଶ ଦେଓ ଗତ ୪ ତାରିଖରେ କପିଲକୁ ଆମ୍‌ ଆଦ୍‌ମି ପାର୍ଟିର ସଦସ୍ୟ ବୋଲି କହିଥିଲେ।

ବିତର୍କ ପାଇଁ ଶାହଙ୍କୁ ଚ୍ୟାଲେଂଜ କଲେ କେଜ୍ରିୱାଲ୍‌
ନୂଆଦିଲ୍ଲୀ : ଦିଲ୍ଲୀ ପ୍ରସଙ୍ଗରେ ବିତର୍କ ପାଇଁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଚ୍ୟାଲେଂଜ କରିଛନ୍ତି। କେଜ୍ରିୱାଲ କହିଛନ୍ତି, ସେ ବିଜେପିକୁ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବାପାଇଁ ଚ୍ୟାଲେଂଜ କରିଥିଲେ, କିନ୍ତୁ ବିଜେପି ନିକଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହିଁ। ଯଦି ବିଜେପି ପାଖରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାହିଁ ତେବେ ଦିଲ୍ଲୀ ପ୍ରସଙ୍ଗରେ ଶାହଙ୍କ ସହ ବିତର୍କ ପାଇଁ ସେ ପ୍ରସ୍ତୁତ ଥିବା କହିଛନ୍ତି। ଦିଲ୍ଲୀ ପ୍ରସଙ୍ଗରେ ବିତର୍କ ପାଇଁ ଆସିବାକୁ ସେ ଶାହଙ୍କୁ ଚ୍ୟାଲେଂଜ କରିଛନ୍ତି।

ସମ୍ବନ୍ଧିତ ଖବର