ନୂଆଦିଲ୍ଲୀ : ୨୦୧୭-୧୮ ପରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିଧାନସଭାରେ ସିଏଜି ରିପୋର୍ଟ ଆଗତ ହୋଇଛି । ଦିଲ୍ଲୀର ବିଜେପି ସରକାର ଏହି ରିପୋର୍ଟ ଆଗତ କରିଛନ୍ତି । ଅନ୍ୟପକ୍ଷରେ ଦିଲ୍ଲୀ ବିଧାନସଭା ଅଧିବେଶନର ଅବଧିକୁ ଆଉ ଦୁଇ ଦିନ ପାଇଁ ବଢାଇ ଦିଆଯାଇଛି । ଏବେ ଅଧିବେଶନ ମାର୍ଚ୍ଚ ୧ ପର୍ଯ୍ୟନ୍ତ ଚାଲିବ ।

Advertisment

ଦିଲ୍ଲୀ ବିଧାନସଭା ବାଚସ୍ପତି ବିଜେନ୍ଦର ଗୁପ୍ତା କହିଛନ୍ତି, ୨୦୧୭-୧୮ ପରେ ସିଏଜି ରିପୋର୍ଟ ବିଧାନସଭାରେ ଉପସ୍ଥାପିତ ହୋଇନଥିବାରୁ ଆଶ୍ଚର୍ଯ୍ୟ ଲାଗୁଛି। ଏ ସଂକ୍ରାନ୍ତରେ ତତ୍କାଳୀନ ବିରୋଧୀ ଦଳ ନେତା, ମୁଁ ଏବଂ ଅନ୍ୟ ୫ ଜଣ ବିରୋଧୀ ଦଳ ନେତା ରାଷ୍ଟ୍ରପତି, ବାଚସ୍ପତି, ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଏକ ରିପୋର୍ଟ ଉପସ୍ଥାପନ କରିବାକୁ ଅନୁରୋଧ କରିଥିଲୁ। ରାଜ୍ୟର ଆର୍ଥିକ ସ୍ଥିତି ଜାଣିବା ପାଇଁ ଏହା ଅତ୍ୟନ୍ତ ଜରୁରୀ ଥିଲା । ଦୁର୍ଭାଗ୍ୟବଶତଃ ସିଏଜି ରିପୋର୍ଟ ଉପସ୍ଥାପିତ ହୋଇନଥିଲା ଏବଂ ପୂର୍ବ ସରକାର ସମ୍ବିଧାନର ଉଲ୍ଲଂଘନ କରିଥିଲେ।

ଆଜି ମଧ୍ୟ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବାରୁ ବାଚସ୍ପତି ଆମ ଆଦମି ପାର୍ଟିର ୨୧ ବିଧାୟକଙ୍କୁ ୩ ଦିନ ପାଇଁ ନିଲମ୍ବିତ କରିଛନ୍ତି । ଆପ ବିଧାୟକ ଅମାନାତୁଲ୍ଲା ଖାଁ ଅନୁପସ୍ଥିତ ଥିବାରୁ ତାଙ୍କୁ ନିଲମ୍ବନ କରାଯାଇ ନାହିଁ ।