ଦିଲ୍ଲୀ ହିଂସା : ସ୍ଥିତି ସ୍ୱାଭାବିକ ହେଉଛି, ରବିବାରଠାରୁ ସହାୟତା ରାଶି ବଣ୍ଟନ ଆରମ୍ଭ ହେବ : କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଧୀରେ ଧୀରେ ସ୍ୱାଭାବିକ ହେଉଛି ଦିଲ୍ଲୀ ପରିସ୍ଥିତି । ଶନିବାର ଦିନ ଆଉ କୌଣସି ହିଂସା ହୋଇନାହିଁ । ଦିଲ୍ଲୀ ସରକାର ରବିବାରଠାରୁ ଦଙ୍ଗା କ୍ଷତିଗ୍ରସ୍ତଙ୍କୁ ସହାୟତା ବଣ୍ଟନ ଆରମ୍ଭ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ସେ କହିଛନ୍ତି ଯେ ଦଙ୍ଗା ସଂପର୍କରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରାଯାଇଥିଲା । କୌଣସି ସ୍ଥାନରୁ ଆଉ କୌଣସି ହିଂସାର ଖବର ହସ୍ତଗତ ହୋଇନାହିଁ । ନୂଆ ହିଂସା ହୋଇନଥିଲେ ମଧ୍ୟ ଏବେ ବି ଅନେକ ଲୋକ ବାସହୀନ ରହିଛନ୍ତି ବୋଲି ସେ କହିଛନ୍ତି । ଦିଲ୍ଲୀ ଦଙ୍ଗାରେ ମୋଟ ୪ଟି ସବଡିଭିଜନ କ୍ଷତିଗ୍ରସ୍ତ ହୋଇଛି ଓସେସବୁ ସବଡିଭିଜନରେ ମୋଟ ୧୮ ଜଣ ଏସଡିଏମ ରହି କ୍ଷୟକ୍ଷତିର ଆକଳନ କରୁଛନ୍ତି ।

ଗତ ଗୁରୁବାରଦିନ କେଜ୍ରିଓ୍ଵାଲ ସରକାର ଦଙ୍ଗା ପ୍ରପୀଡ଼ିତଙ୍କ ପାଇଁ ସହାୟତା ଘୋଷଣା କରିଥିଲେ । ମୃତବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା । ନାବାଳକ ମୃତ୍ୟୁବରଣ କରିଥିଲେ ୫ ଲକ୍ଷ ଟଙ୍କା ମିଳିବ । ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ହିଂସା ଯୋଗୁଁ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ଏହା ସହିତ ପ୍ରଭାବିତ ଅଞ୍ଚଳରେ ମାଗଣା ଖାଦ୍ୟ ଯୋଗାଇ ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର