ବିଶାଖାପାଟଣା : ବିଶାଖାପାଟଣାରେ ରବିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ଏକ ଲିଗ୍ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦକୁ ୭ ଓ୍ବିକେଟରେ ପରାସ୍ତ କରି କ୍ରମାଗତ ଦ୍ବିତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ।
ଦିଲ୍ଲୀ ଆଗରେ ବିଜୟ ପାଇଁ ୧୬୪ ରନର ଲକ୍ଷ୍ୟ ଥିଲା ଓ ଏହାକୁ ଦଳ ୧୬ ଓଭରରେ ୩ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ ଜେକ୍ ଫେରଜର ମାକ୍ ଗର୍କ ୩୮ ରନ ଓ ଫାଫ୍ ଡୁ ପ୍ଲେସିସ୍ ୫୦ ରନ ଓ ଅଭିଷେକ ପୋରେଲ ୩୪ ରନ କରିଥିଲେ । କେଏଲ ରାହୁଲ ୧୫ ରନ ଓ ଟ୍ରିଷ୍ଟାନ ଷ୍ଟବସ୍ ୨୧ ରନ କରିଥିଲେ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । କିନ୍ତୁ ଦିଲ୍ଲୀ ବୋଲରଙ୍କ ସମ୍ମୁଖୀନ ହୋଇନପାରି ଦଳ ୧୮.୪ ଓଭରରେ ୧୬୩ ରନ କରି ଅଲଆଉଟ ହୋଇଯାଇଥିଲା । ଦଳପକ୍ଷରୁ ଅନିକେତ ବର୍ମା ସର୍ବାଧିକ ୭୪ ରନ କରିଥିବାବେଳେ ହେନରିକ୍ କ୍ଲାସେନ ୩୨ ରନ କରିଥିଲେ । କିନ୍ତୁ ଦଳର ଅନ୍ୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ । ଅଭିଷେକ ଶର୍ମା ୧ ରନ , ଇଶାନ କିଷନ ୨ ଓ ନୀତୀଶ ରେଡ୍ଡୀ ୦ ରନ କରିଥିଲେ । ତେବେ ଟ୍ରାଭିସ ହେଡ୍ ୨୨ ରନ କରିଥିଲେ ।
ଦିଲ୍ଲୀ ପକ୍ଷରୁ ମିଚେଲ ଷ୍ଟାକ୍ ୫ଟି ଓ୍ବିକେଟ ନେଇଥିବାବେଳେ କୂଳଦୀପ ଯାଦବ ୩ଟି ଓ୍ବିକେଟ ନେଇଥିଲେ । ସେହିପରି ମୋହିତ ଶର୍ମା ଗୋଟିଏ ଓ୍ବିକେଟ ନେଇଥିଲେ ।