ଦିଲ୍ଲୀରେ ଭୀମ ସେନା ମୁଖ୍ୟ ଗିରଫ, ୧୪ଦିନ ପାଇଁ ଜେଲ୍‌ ଗଲେ

ନୂଆଦିଲ୍ଲୀ,: ଭୀମ ସେନା ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଜାମା ମସଜିଦ୍‌ ନିକଟରେ ଆଜି ଦିଲ୍ଲୀ ପୁଲିସ ଗିରଫ କରିଛି। ଭୀମସେନା ମୁଖ୍ୟଙ୍କ ସହ ଦିଲ୍ଲୀରେ ସମୁଦାୟ ୧୬ ଜଣଙ୍କୁ ଗିରଫ କରାଯାଇଛି। ହିଂସା ପାଇଁ ଆନ୍ଦୋଳନକାରୀଙ୍କୁ ଉସୁକାଇବା ମାମଲାରେ ଭୀମସେନା ମୁଖ୍ୟ ଆଜାଦଙ୍କୁ ଦିଲ୍ଲୀ ପୁଲିସ ଗିରଫ କରି ତିସ୍‌ ହଜାରୀ କୋର୍ଟରେ ହାଜର କରିଥିଲା। ଅଦାଲତ ତାଙ୍କର ଜାମିନ ଆବେଦନକୁ ନାମଂଜୁର କରି ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ଗତକାଲି ଦିଲ୍ଲୀର ଜାମା ମସଜିଦ୍‌ ନିକଟରେ ସିଏଏ ବିରୋଧୀ ଆନ୍ଦୋଳନର ନେତୃତ୍ବ ନେଇଥିବା ୩୧ ବର୍ଷୀୟ ଚନ୍ଦ୍ରଶେଖର ଆଜାଦଙ୍କୁ ପୁଲିସ ପ୍ରଥମେ ଅଟକ ରଖିଥିଲେ ମଧ୍ୟ ସେ ପୁଲିସ ହାତରୁ ଖସି ଯାଇଥିଲେ। ମିଳିଥିବା ସୂଚନାନୁଯାୟୀ ଆଜାଦ୍‌ ପୁଲିସ ସହ ଲୁଚକାଳି ଖେଳ ଖେଳିଥିଲେ। ଗତକାଲି ଅପରାହ୍ନରୁ ମସଜିଦ୍‌ ଭିତରେ ରହି ପୁଲିସକୁ ଭୁଆଁ ବୁଲାଇଥିଲେ। ତେବେ ପ୍ରାୟ ୨୪ ଘଣ୍ଟାର ଲୁଚକାଳି ଖେଳ ପରେ ପୁଲିସ ଆଜି ସକାଳେ ଭୀମସେନା ମୁଖ୍ୟଙ୍କୁ ଗିରଫ କରିଥିଲା। ପୁଲିସର ଏଫ୍‌ଆଇଆର ଅନୁଯାୟୀ ଆଜାଦ ହିଂସା ପାଇଁ ଉସୁକାଇଥିଲେ ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ। ଅନ୍ୟପକ୍ଷେ ଆଜାଦ କହିଛନ୍ତି, ସେ ଏବଂ ତାଙ୍କ ସମର୍ଥକମାନେ ଶୁକ୍ରବାର ସକାଳୁ ମସଜିଦ୍‌ ଭିତରେ ବସିଛନ୍ତି ଏବଂ ସେମାନେ କୌଣସି ପ୍ରକାର ହିଂସାରେ ସାମିଲ ହୋଇନଥିଲେ। ଜାମା ମସଜିଦ୍‌ ନିକଟରେ ଗତକାଲି ହୋଇଥିବା ହିଂସା ପାଇଁ ୮ ପୁଲିସ କର୍ମୀଙ୍କ ସମେତ ୩୬ ଜଣ ଆହତ ହୋଇଥିଲେ। ଅନ୍ୟପକ୍ଷେ ଜାମା ମସଜିଦ୍‌ ନିକଟସ୍ଥ ଦରିୟାଗଂଜରେ ଗତକାଲି ଆନ୍ଦୋଳନ ଓ ହିଂସା ସମୟରେ ପୁଲିସ ୮ ନାବାଳକଙ୍କୁ ଅଟକ ରଖିବାରୁ ଦିଲ୍ଲୀ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ନାବାଳକଙ୍କୁ ଥାନାରେ ଅଟକ ରଖିବା ଆଇନର ଉଲ୍ଲଂଘନ କରୁଛି ବୋଲି ଦିଲ୍ଲୀ କୋର୍ଟ କହିଥିଲେ। କୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ ସମସ୍ତ ୮ଜଣଙ୍କୁ ଛାଡ଼ି ଦେଇଛି।

ସମ୍ବନ୍ଧିତ ଖବର