ପକ୍ଷୀ ସଙ୍ଗେ ଧକ୍କା ଖାଇବାରୁ ଦିଲ୍ଲୀ ଆସୁଥିବା ‘ଆକାଶ’ ବିମାନର ‘ରେଡମ୍‌’ ନଷ୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଅଭିମୁଖେ ଆସୁଥିବା ‘ଆକାଶ ଏୟାର୍‌’ର ଗୋଟାଏ ବିମାନ ଆଜି ସକାଳେ ଉଡ଼ାଣ ଆରମ୍ଭ କରି ନିର୍ଦ୍ଧାରିତ ଉଚ୍ଚତାରେ ପହଞ୍ଚିବା ବେଳେ ଗୋଟାଏ ପକ୍ଷୀ ସଙ୍ଗେ ଧକ୍କା ଖାଇଥିବା କଥା ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ କହିଛି।

ବୋଇଙ୍ଗ୍‌ ୭୩୭ ମ୍ୟାକ୍ସ୍‌ ୮ ବିମାନଟି ୧୯୦୦ ଫୁଟ୍‌ ଉଚ୍ଚରେ ଉଡୁଥିବା ବେଳେ ପକ୍ଷୀ ସହ ଧକ୍କା ଖାଇବାରୁ ତାହାର ‘ରେଡମ୍‌’ ବା ସାଧାରଣ ଭାଷାରେ ‘ବିମାନର ଅଗ୍ରଭାଗ ବା ନାସିକା’ କୁହାଯାଉଥିବା ଅଂଶଟି ଚେପା ହୋଇ ନଷ୍ଟ ହୋଇଯାଇଛି।

ଏ ସଂକ୍ରାନ୍ତରେ ଦେଇଥିବା ବିବୃତିରେ ‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌’ ବା ‘ଡିଜିସିଏ’ କହିଛି: ଅହମଦାବାଦ-ଦିଲ୍ଲୀ ମଧ୍ୟରେ ଚଳାଚଳ କରୁଥିବା ବିମାନ (କ୍ୟୁପି-୧୩୩୩) ଆକାଶ ବି-୭୩୭-୮ (ମ୍ୟାକ୍ସ ବିମାନ) ଭିଟି-ୱାଇଏଏଫ୍‌’ ୧୯୦୦ ଫୁଟ୍‌ ଉଚ୍ଚରେ ଆଜି କ୍ଲାଇମ୍‌-ଆଉଟ୍‌ ପରେ ଗୋଟାଏ ପକ୍ଷୀ ସଙ୍ଗରେ ଧକ୍କା ଖାଇଛି।

Image Courtesy of ABP

ଦିଲ୍ଲୀରେ ଅବତରଣ କରିବା ପରେ ବିମାନଟିର ‘ରେଡମ୍‌’ ନଷ୍ଟ ହୋଇଥିବା କଥା ଜଣାପଡ଼ିଥିଲା। ବୈଷୟିକ ଅସୁବିଧା ହୋଇଥିବା ଦର୍ଶାଇ ଦିଲ୍ଲୀରୁ ଉକ୍ତ ବିମାନଟିର ଉଡ଼ାଣ ବନ୍ଦ କରାଯାଇଥିବା କଥା ଆକାଶ ଏୟାର୍‌ଲାଇନ୍‌ର ଜଣେ ମୁଖପାତ୍ର କହିଛନ୍ତି।

ଜଣେ ଯାତ୍ରୀ ଗଣମାଧ୍ୟମକୁ କହିଛନ୍ତି, ଯାତ୍ରୀମାନଙ୍କ ପାଇଁ ଖାଦ୍ୟ କି ହୋଟେଲ୍‌ରେ ରହିବା ବ୍ୟବସ୍ଥା ନ କରି ଏୟାର୍‌ଲାଇନ୍‌ କହିଛି, ଟିକେଟ୍‌ ବାବଦ ଅର୍ଥ ଫେରସ୍ତ ନେଇଯାଅ କିଂବା ଆସନ୍ତାକାଲି ପର୍ଯ୍ୟନ୍ତ ବିମାନ ବନ୍ଦରରେ ଅପେକ୍ଷା କର।

ସୂଚନାଯୋଗ୍ୟ, ଚଳିତ ବର୍ଷ ଅଗଷ୍ଟ ମାସରୁ ଆକାଶର ପ୍ରଥମ ବ୍ୟାବସାୟିକ ବିମାନ ଚଳାଚଳ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର