୮ବର୍ଷରେ ପ୍ରଥମ ଥର ପାଇଁ ସିସୋଦିଆଙ୍କ ଅନୁପସ୍ଥିତିରେ ଆପ୍ ଆଣିବ ବଜେଟ

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଏବେ ଜେଲରେ ଅଛନ୍ତି ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ତାଙ୍କର ଜାମିନ ଆବେଦନ ଉପରେ ରାଉଜ ଆଭେନ୍ୟୁ କୋର୍ଟ ମାର୍ଚ୍ଚ ୧୦ରେ ରାୟ ଶୁଣାଇବାକୁ ଥିବା ବେଳେ ଆପ୍ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ମାର୍ଚ୍ଚ ୧୭ରେ ବାର୍ଷିକ ବ‌ଜେଟ ଅଧିବେଶନ ହେବ ବୋଲି ଦିଲ୍ଲୀ ସରକାର କହିଛନ୍ତି।

ମାର୍ଚ୍ଚ ୧୭ରୁ ଦିଲ୍ଲୀ ସରକାର ୨୦୨୩-୨୪ ବର୍ଷ ପାଇଁ ବାର୍ଷିକ ବଜେଟ୍ ଅଧିବେଶନ ଆରମ୍ଭ କରିବା ସହ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ମାର୍ଚ୍ଚ ୨୧ରେ କୈଲାଶ ଗେହଲଟ୍ ବଜେଟ୍ ଉପସ୍ଥାପନ କରିବେ। ୮ବର୍ଷରେ ପ୍ରଥମ ଥର ପାଇଁ ଦିଲ୍ଲୀ ବିଧାନସଭାର ବଜେଟ୍ ଅଧିବେଶନ ମନୀଷ ସିସୋଦିଆଙ୍କ ଅନୁପସ୍ଥିତିରେ ଆରମ୍ଭ ହେବ। ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନ ନିଜ ବିଭାଗରୁ ଇସ୍ତଫା ଦେବା ପରେ କୈଲାଶ ଗେହଲଟଙ୍କୁ ନୂଆ ଦାୟିତ୍ବ ମିଳିଥିବାରୁ ଏଥର ସେ ସରକାରଙ୍କ ବଜେଟ୍ ଉପସ୍ଥାପନ କରିବେ। କୈଲାଶଙ୍କୁ ଅନ୍ୟ ବିଭାଗ ସହ ଅର୍ଥ ବିଭାଗ ଦିଆଯାଇଥିବାରୁ ସେ ବଜେଟ ଉପସ୍ଥାପନ କରିବେ ବୋଲି ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ବର୍ତ୍ତମାନ ସିବିଆଇ ହେପାଜତରେ ଅଛନ୍ତି। ଜାତୀୟ ରାଜଧାନୀ ପାଇଁ ମଦ ନୀତି ପ୍ରସ୍ତୁତ କରିବାରେ ଦୁର୍ନୀତି କରିଥିବା ଅଭିଯୋଗର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଗିରଫ ହୋଇଛନ୍ତି। ଗିରଫ ହେବା ପରେ ଏହି ମାମଲାରେ ଜାମିନ ନିମନ୍ତେ ସୁପ୍ରିମ୍‌ କ‌ୋର୍ଟରେ ଆବେଦନ କରିଥିଲେ। କିନ୍ତୁ, ଏଥିରେ ହସ୍ତକ୍ଷେପ କରିବାକୁ ମନାକରି ନିମ୍ନ ଅଦାଲତରେ ଆବେଦନ କରିବାକୁ ପରାମର୍ଶ ଦେଇଥିଲେ ସୁପ୍ରିମ୍‌ କ‌ୋର୍ଟ। ଏହା ପରେ ରାଉଜ୍ ଆଭେନ୍ୟୁ କୋର୍ଟରେ ସିସୋଦିଆ ଜାମିନ ପାଇଁ ଆବେଦନ କରିଥିବା ବେଳେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ।

ସମ୍ବନ୍ଧିତ ଖବର