କେଜ୍ରିଓ୍ଵାଲ୍‌ଙ୍କ ବାସଭବନରେ ଦିଲ୍ଲୀ ମୁଖ୍ୟସଚିବଙ୍କୁ ଆପ୍‌ ବିଧାୟକଙ୍କ ଦୁର୍ବ୍ୟବହାର ଅଭିଯୋଗ, ଗିରଫ ଦାବି କଲା କର୍ମଚାରୀ ସଂଘ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଏବେ ଏକ ନୂଆ ଅଡ଼ୁଆରେ ଫସି ଯାଇଛନ୍ତି। ଅଡୁଆ ସୃଷ୍ଟି କରିଛନ୍ତି ଦିଲ୍ଲୀ ସରକାରଙ୍କ ମୁଖ୍ୟସଚିବ ଅଂଶୁ ପ୍ରକାଶ। ସେ ଅଭିଯୋଗ ଆଣିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌)ର ଦୁଇ ବିଧାୟକଙ୍କ ଦ୍ୱାରା ସେ ଦୁର୍ବ୍ୟବହାରର ଶିକାର ହୋଇଛନ୍ତି। ବିଧାୟକ ଦୁଇ ଜଣ ତାଙ୍କୁ ମାଡ ମାରିଥିବା ମଧ୍ୟ ସେ ଆରୋପ ଆଣିଛନ୍ତି। ଏହି ଦୁଇ ବିଧାୟକ କେଜ୍ରିଓ୍ଵାଲ୍‌ଙ୍କ ସମ୍ମୁଖରେ ଏପରି କାଣ୍ଡ କରିଛନ୍ତି ବୋଲି ଦିଲ୍ଲୀ ମୁଖ୍ୟସଚିବ ଅଭିଯୋଗ କରିଛନ୍ତି।

ଏହି ଘଟଣାରେ କ୍ରୋଧ ପ୍ରକାଶ କରି ମୁଖ୍ୟ ସଚିବ ଅଂଶୁ ପ୍ରକାଶ ରାଜଧାନୀ ଦିଲ୍ଲୀର ସମସ୍ତ ପଦସ୍ଥ ଅଧିକାରୀଙ୍କୁ ଡକାଇ ଦିଲ୍ଲୀ ସଚିବାଳୟରେ ମଙ୍ଗଳବାର ସକାଳେ ଏକ ବୈଠକ କରିଥିଲେ। ବୈଠକରେ ଏହା ନିଷ୍ପତ୍ତି ନିଆ ଯାଇଥିଲା ଯେ ଏହାକୁ ନେଇ ଏକ ମାମଲା ରୁଜୁ କରାଯିବ। ମୁଖ୍ୟ ସଚିବ ଏହି ଘଟଣା ସଂପର୍କରେ ଦିଲ୍ଲୀର ଲ୍ୟୁଟ୍‌ନାଣ୍ଟ୍‌ ଗଭର୍ଣ୍ଣର ଅନୀଲ ବୈଜାଲ୍‌ଙ୍କ ନିକଟରେ ବି ଅଭିଯୋଗ କରିଛନ୍ତି।

ଅନ୍ୟ ପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ ଅଂଶୁ ପ୍ରକାଶଙ୍କ ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ତାଙ୍କ ବାସଭବନରେ ମୁଖ୍ୟ ସଚିବଙ୍କୁ କୌଣସି ବିଧାୟକ ଦୁର୍ବ୍ୟବହାର ଦେଖାଇନାହାନ୍ତି ବୋଲି ସେ କହିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଏହି ଅଭିଯୋଗକୁ ଅସ୍ୱୀକାର କରି କେଜ୍ରିଓ୍ଵାଲ୍‌ କହିଛନ୍ତି କି, ଉତ୍ତେଜନାମୂଳକ ପରିବେଶ ନିଶ୍ଚୟ ଉପୁଜିଥିଲା ମାତ୍ର ଅଂଶୁ ପ୍ରକାଶଙ୍କୁ ଦୁର୍ବ୍ୟବହାର କରାଯାଇନାହିଁ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସମ୍ମୁଖରେ ଏପରି କିଛି ଘଟିନାହିଁ ବୋଲି ଦର୍ଶାଯାଇ ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଅଭିଯୋଗକୁ ଖାରଜ କରାଯାଇଛି। ଓଲଟା ଶାସକ ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ ମୁଖ୍ୟ ସଚିବ ଉପସ୍ଥିତ ବିଧାୟକମାନଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ।

 

ଆଧାରରେ ତ୍ରୁଟି ଥିବା ହେତୁ ଗତ ମାସରେ ଦିଲ୍ଲୀର ୨.୫ ଲକ୍ଷ ପରିବାର ରାସନ ନେବାରୁ ବଞ୍ଚିତ ହୋଇଛନ୍ତି। ଫଳରେ ସାଧାରଣ ଜନତା ବିଧାୟକମାନଙ୍କ ଉପରେ ଚାପ ପକାଉଛନ୍ତିି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଧାୟକଙ୍କୁ ନେଇ ଏକ ବୈଠକ ଆୟୋଜିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ ମୁଖ୍ୟ ସଚିବ ଅଂଶୁ ପ୍ରକାଶଙ୍କୁ ସାଧାରଣ ଜନତାଙ୍କ ସମସ୍ୟା ସଂପର୍କରେ ପ୍ରଶ୍ନ ପଚରା ଯାଇଥିଲା। ମାତ୍ର ପ୍ରଶ୍ନର ଉତ୍ତର ବିଧାୟକ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ ଦେବାକୁ ବାଧ୍ୟ ନୁହଁନ୍ତି ବୋଲି ଦର୍ଶାଇ କେବଳ ଏଲ୍‌ଜିଙ୍କୁ ଉତ୍ତର ଦେବେ ବୋଲି ମତ ରଖିଥିଲେ। ଏପରିକି ସେ ବିଧାୟକଙ୍କ ଉପରେ ଅଶାଳୀନ ଭାଷା ପ୍ରୟୋଗ କରିବା ସହ ବିନା ଉତ୍ତର ଦେଇ ସ୍ଥାନ ଛାଡ଼ି ପଳାଇଥିଲେ ବୋଲି ଦଳ ପକ୍ଷରୁ ଅଭିଯୋଗ ହୋଇଛି।

ମୁଖ୍ୟ ସଚିବଙ୍କର ଏପରି ଅଭିଯୋଗ ସଂପର୍କରେ ଆପ୍‌ ମତ ରଖିଛି ଯେ ଏହି ଅଭିଯୋଗ ଭାରତୀୟ ଜନତା ପାର୍ଟି(ବିଜେପି)ର ପରାମର୍ଶରେ ହୋଇଛି। ସେ ବିଜେପିର ପକ୍ଷ ନେଉଛନ୍ତି। ଏଥିରେ ପ୍ରତିକ୍ରିୟା ଦେଖାଇ ଦିଲ୍ଲୀ ଆଡମିନ୍‌ଷ୍ଟ୍ରେଟିଭ୍‌ ସବ୍‌ଅର୍ଡିନେଟ୍‌ ସର୍ଭିସ୍‌ ଖୁବ୍‌ ଶୀଘ୍ର ଏକ ଧାରଣା ସଂପର୍କରେ ଚିନ୍ତା କରୁଛି। ମୁଖ୍ୟ ସଚିବଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଉ ବୋଲି ଦାବିରେ ଏହି ଧାରଣା ଆୟୋଜିତ ହେବ।

ଦିଲ୍ଲୀ ଆଡମିନ୍‌ଷ୍ଟ୍ରେଟିଭ୍‌ ସବ୍‌ଅର୍ଡିନେଟ୍‌ ସର୍ଭିସର ସଭାପତି ଡିଏନ୍‌ ସିଂ ଗଣମାଧ୍ୟମରେ କହିଛନ୍ତି କି, ‘ଆମେ ଆମ ମୁଖ୍ୟ ସଚିବଙ୍କ ସମର୍ଥନରେ ଅଛୁ। ତାଙ୍କୁ ସମର୍ଥନ କରି ଖୁବ୍‌ ଶୀଘ୍ର ଏକ ବିରାଟ ଧାରଣାର ଆୟୋଜନ କରାଯିବ। ଅଭିଯୁକ୍ତମାନେ ଗିରଫ ନହେବା ପର୍ଯ୍ୟନ୍ତ ଆମେ ଧାରଣାରୁ ଓହରିବୁ ନାହିଁ।

ସମ୍ବନ୍ଧିତ ଖବର