କ୍ଷତିଗ୍ରସ୍ତଙ୍କ ମନରେ ଆତ୍ମବିଶ୍ବାସ ସୃଷ୍ଟି କରିବାକୁ ସରକାର ଉଦ୍ୟମ କରନ୍ତୁ
ଉତ୍ତେଜକ ଭାଷଣ ଦେଇଥିବା ବ୍ୟକ୍ତିଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ନିର୍ଦେଶ

Advertisment

ଉତ୍ତରପୂର୍ବ ଦିଲ୍ଲୀରେ ସିଏଏ ସମର୍ଥକ ଏବଂ ବିରୋଧୀଙ୍କ ଦ୍ବାରା ସୃଷ୍ଟି ହୋଇଥିବା ହିଂସା ଭୟାନକ ରୂପ ନେଇଛି। ତେବେ ବିଗତ ୩ ଦିନର ହିଂସାରେ ପୁଲିସର ଭୂମିକା ନେଇ ବିଭିନ୍ନ ମହଲ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଆଜି ରାତି ସୁଦ୍ଧା ହିଂସାରେ ୨୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦୦ରୁ ଅଧିକ ଆହତ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ହିଂସା ନେଇ ଏଯାବତ୍‌ ୧୧୦ ଜଣ ଗିରଫ ହୋଇଛନ୍ତି ଏବଂ ମାମଲାରେ ୧୮ଟି ଏଫ୍‌ଆଇଆାର ରୁଜୁ ହୋଇଛି। ଦଙ୍ଗାକାରୀମାନଙ୍କୁ ଚିହ୍ନଟ କରାଯାଇଛି। ଏ ସଂକ୍ରାନ୍ତରେ ସିସିଟିଭି ଫୁଟେଜ୍‌ ସହ ଅନ୍ୟାନ୍ୟ ବଳିଷ୍ଠ ପ୍ରମାଣ ରହିଛି। ଆଜି ପୁଲିସର ତ୍ବରିତ କାର୍ଯ୍ୟାନୁଷ୍ଠାନ ଯୋଗୁଁ ହିଂସା ନିୟନ୍ତ୍ରଣକୁ ଆସିଛି ଏବଂ ଅପରାହ୍ଣରୁ କୌଣସି ହିଂସା ଘଟିନାହିଁ ବୋଲି ଦିଲ୍ଲୀ ପୁଲିସ ପିଆରଓ ଏମ୍‌ଏସ ରନ୍ଧୱା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଦିଲ୍ଲୀ ପୁଲିସ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି ଏବଂ ଲୋକମାନଙ୍କୁ ଗୁଜବରେ ବିଶ୍ବାସ ନ କରିବା ପାଇଁ ଅନୁରୋଧ କରାଯାଇଛି। ହିଂସାଗ୍ରସ୍ତ ସମସ୍ତ ଅଂଚଳରେ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି ରହିଛି ଏବଂ ଦଙ୍ଗାକାରୀଙ୍କୁ ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ ମିଳିଛି। ବିଭିନ୍ନ ଏଫ୍‌ଆଇଆର୍‌ ଉପରେ ତତ୍କାଳ କାର୍ଯ୍ୟାନୁଷ୍ଠାନ ମଧ୍ୟ ଆରମ୍ଭ ହୋଇଛି।

ହାଇକୋର୍ଟଙ୍କ ଭର୍ତ୍ସନା
ନୂଆଦିଲ୍ଲୀ : ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ମାମଲାରେ ଦିଲ୍ଲୀ ହାଇକୋର୍ଟ ଆଜି ଦିଲ୍ଲୀ ପୁଲିସ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଛନ୍ତି। ହିଂସା ନିୟନ୍ତ୍ରଣରେ ଦିଲ୍ଲୀ ପୁଲିସର ବିଫଳତାକୁ ନେଇ କୋର୍ଟ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ଠିକ୍‌ ସମୟରେ ତ୍ବରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଦିଲ୍ଲୀ ପୁଲିସ ବିଫଳ ହୋଇଛି ଏବଂ ଏଥିପାଇଁ ସାଧାରଣ ଜନତା ହିଂସାର ଶିକାର ହୋଇଛନ୍ତି ବୋଲି ହାଇକୋର୍ଟ କହିଛନ୍ତି। ଦିଲ୍ଲୀରେ ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ଭଳି ଆଉ ଏକ ଘଟଣା ଘଟିବାକୁ ଦେବୁନାହିଁ ବୋଲି ‌ହାଇକୋର୍ଟ କହିଛନ୍ତି। ବିଚାରପତି ଏସ୍‌. ମୁରଲୀଧର ଏବଂ ବିଚାରପତି ଅନୁପ ଜୟରାମ ବମ୍ବାନିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଉଭୟ ରାଜ୍ୟ ଓ କେନ୍ଦ୍ର ଦଙ୍ଗା କ୍ଷତିଗ୍ରସ୍ତ ପରିବାରକୁ ଭେଟି ସେମାନଙ୍କୁ ସାନ୍ତ୍ବନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦଙ୍ଗାରେ ଜଣେ ଗୁଇନ୍ଦ‌ା ଅଧିକାରୀଙ୍କ ମୃତ୍ୟୁକୁ ନେଇ କୋର୍ଟ କ୍ଷୋଭ ପ୍ରକାଶ କରି ଏହାକୁ ‘ଦୁର୍ଭାଗ୍ୟଜନକ’ ବୋଲି ଦର୍ଶାଇଛନ୍ତି। ଦଙ୍ଗା କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ କରିବାକୁ ତୁରନ୍ତ ଏକ ‘ହେଲ୍‌ପଲାଇନ୍‌ ଡେସ୍କ’ ଗଠନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦଙ୍ଗା କ୍ଷତିଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ଘରୋଇ ଆମ୍ବୁଲାନ୍‌ସର ବ୍ୟବସ୍ଥା କରିବା ଏବଂ ଲୋକମାନଙ୍କ ପାଖକୁ ଯାଇ ସେମାନଙ୍କ ମନରେ ଆତ୍ମବିଶ୍ବାସ ଜନ୍ମାଇବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି। ଦଙ୍ଗା କ୍ଷତିଗ୍ରସ୍ତଙ୍କ ପାଇଁ ରହଣୀସ୍ଥଳ, ଖାଦ୍ୟ, ପୋଷାକ, ଔଷଧ, ଶୀତବସ୍ତ୍ରର ବ୍ୟବସ୍ଥା କରିବାକୁ ମଧ୍ୟ କୋର୍ଟ ଗୁରୁତ୍ବାରୋପ କରିଛନ୍ତି।

ଏ ସମସ୍ତ କାର୍ଯ୍ୟର ତଦାରଖ କରିବାକୁ ଦିଲ୍ଲୀ ହାଇକୋର୍ଟ ଆଇନଜୀବୀ ଜୁବେଦା ବେଗମ୍‌ଙ୍କୁ ଆମିକସ କ୍ୟୁରି ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ଦଙ୍ଗା‌ରେ ଆହତମାନଙ୍କୁ ଔଷଧ ଓ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦଙ୍ଗା ପୂର୍ବରୁ ଯେଉଁମାନେ ଘୃଣାସୂଚକ ଭାଷଣ ଦେଇଥିଲେ ସେମାନଙ୍କ ବିରୋଧରେ ଯଥାଶୀଘ୍ର ଏଫ୍‌ଆଇଆର୍‌ ରୁଜୁ କରିବାକୁ କୋର୍ଟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଦଙ୍ଗା ସୃଷ୍ଟି କରିବା ପଛରେ ଥିବା ଉତ୍ତେଜକ ଭାଷଣଗୁଡ଼ିକର ଭିଡ଼ିଓ କ୍ଳିପିଂକୁ ମଧ୍ୟ ଖଣ୍ଡପୀଠ ଶୁଣାଇଥିଲେ। ସୂଚନାଯୋଗ୍ୟ, ସିଏଏ ବିରୋଧୀ ଓ ସପକ୍ଷବାଦୀଙ୍କ ମଧ୍ୟରେ ହୋଇଥିବା ହିଂସାକାଣ୍ଡରେ ଏ ଯାଏ ୨୭ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି।