ଚାଷୀ ନେତାଙ୍କୁ ଭେଟିବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍, ବିଧାନସଭା ପରିସରରେ ବସିବ ବୈଠକ

ନୂଆଦିଲ୍ଲୀ : ଦୀର୍ଘ ୮୭ ଦିନ ହେବ ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନ ଏବେ ନୂଆ ମୋଡ଼ ନେବାକୁ ଯାଉଛି । ଏହି ଆନ୍ଦୋଳନକୁ ଆରମ୍ଭରୁ ସମର୍ଥନ କରୁଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆସନ୍ତାକାଲି (ରବିବାର) ଚାଷୀ ନେତାମାନଙ୍କ ସହିତ ବୈଠକ କରିବେ।

ମିଳିଥିବା ସୂଚନା ମୁତାବକ, ଆସନ୍ତାକାଲି ଆନ୍ଦୋଳନ ଚାଷୀ ନେତା ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ବିଧାନସଭା ପରିସରରେ ଏକ ବୈଠକ କରିବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ସମେତ ଦଳର ଅନ୍ୟ କିଛି ବରିଷ୍ଠ ନେତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କୃଷି ବିଲ୍ ସଂପର୍କରେ ଆଲୋଚନା ହେବା ସହ ଆନ୍ଦୋଳନର ଆଗାମୀ ରଣନୀତି ପ୍ରସ୍ତୁତ କରାଯିବ ବୋଲି କୁହାଯାଉଛି । ବୈଠକରେ ଯୋଗ ଦେବାକୁ ଥିବା ବଡ ବଡ ଚାଷୀ ନେତା ବିଧାନସଭା ପରିସରରେ ମଧ୍ୟାହ୍ନ ଭୋଜନ କରିବେ ବୋଲି ସୂଚନା ରହିଛି।ଉଲ୍ଲେଖନୀୟ କଥା ହେଲା,  କୃଷକ ଆନ୍ଦୋଳନ ପ୍ରସଙ୍ଗରେ କେନ୍ଦ୍ରସରକାରଙ୍କ ସହ ଚାଷୀ ନେତାମାନଙ୍କର ଯେତେଥର ବୈଠକ ହୋଇଛି ସବୁ ବୈଠକରେ ଚାଷୀ ନେତା କେନ୍ଦ୍ରସରକାରଙ୍କ ଦ୍ୱାରା ଦିଆଯାଇଥିବା ଖାଦ୍ୟକୁ ଗ୍ରହଣ କରି ନାହାନ୍ତି । ହେଲେ କାଲି ଏକ ରାଜନୈତିକ ଦଳ ସହ ବୈଠକ ଅବସରରେ ପ୍ରଥମ ଥର ପାଇଁ ଚାଷୀ ନେତାମାନେ ଖାଦ୍ୟ ଗ୍ରହଣ କରିବା ଲାଗି ରାଜି ହୋଇଛନ୍ତି।

ସୂଚନା ଥାଉକି ସେପ୍ଟେମ୍ବର ମାସରେ କେନ୍ଦ୍ରସରକାରଙ୍କ ଦ୍ୱାରା ପାରିତ ୩ଟି କୃଷି ଆଇନକୁ ବିରୋଧ କରି ୮୭ ଦିନ ହେବ କୃଷକମାନେ ରାଜଧାନୀ ଦିଲ୍ଲୀର  ବିଭିନ୍ନ ସୀମାରେ ରାସ୍ତା ଅବରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି । ଏହି କ୍ରମରେ କୃଷକମାନେ ଏ ପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳର ନେତାଙ୍କୁ ମଞ୍ଚକୁ ଚଢିବାର ସୁଯୋଗ ଦେଇ ନାହାନ୍ତି । ହେଲେ ଏବେ କୃଷକ ସଂଗଠନମାନଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ମହାପଂଚାୟତ ଆୟୋଜନ କରାଯାଉଛି । ଏହାକୁ ନଜରରେ ରଖି କଂଗ୍ରେସ, ଆରଏଲଡି ଭଳି ଦଳ ଭିନ୍ନ ଭିନ୍ନ ସ୍ଥାନରେ ମହାପଂଚାୟତ ଆୟୋଜନ କରୁଥିବା ଦେଖିବାକୁ ମିଳିଛି।
ସମ୍ବନ୍ଧିତ ଖବର