ନୂଆଦିଲ୍ଲୀ: ଆମ୍ ଆଦ୍ମୀ ପାର୍ଟି (ଆପ୍) ଆଜି ଅଭିଯୋଗ କରିଛି ଯେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଅଚାନକ ସିଲ୍ କରିଦିଆଯିବା ସହ ମୁଖ୍ୟମନ୍ତ୍ରୀ ଆତିଶୀଙ୍କ ଲଗେଜ୍ ଏବଂ ତାଙ୍କର କେତେକ ଆସବାବପତ୍ରକୁ ଫୋପାଡ଼ି ଦିଆଯାଇଛି। ତାଙ୍କର ୬, ଫ୍ଲାଗଷ୍ଟାଫ୍ ରୋଡ୍ ସ୍ଥିତ ବାସଭବନରେ ପୂର୍ତ୍ତ ବିଭାଗ ତାଲା ପକାଇ ଦେଇଛି। ଉପରାଜ୍ୟପାଳ ଭିକେ ସକ୍ସେନାଙ୍କ ନିର୍ଦ୍ଦେଶ କ୍ରମେ ଆତିଶୀଙ୍କ ବାସଭବନକୁ ବଳପୂର୍ବକ ଖାଲି କରାଯାଇଛି ବୋଲି ‘ଆପ୍’ ଅଭିଯୋଗ କରିଛି। ‘ଆପ୍’ ମଧ୍ୟ ଦାବି କରିଛି ଯେ ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନ ଅକ୍ତିଆର କରିବାପାଇଁ ଏହା ବିଜେପି ଯୋଜନାର ଏକ ଅଂଶ। ସୂଚନାଯୋଗ୍ୟ, ପୂର୍ତ୍ତ ବିଭାଗର ଏକ ଟିମ୍ ଆଜି ଦିଲ୍ଲୀ
ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ପହଞ୍ଚି ସେଠାରୁ ଜିନିଷପତ୍ର ଖାଲି କରିଥିଲେ ଏବଂ ସିଲ୍ କରିବା ପ୍ରକ୍ରିୟା ସଂପୂର୍ଣ୍ଣ କରିଥିଲେ। ‘ଆପ୍’ ମଧ୍ୟ ଦାବି କରିଛି ଯେ ଏହି ବଙ୍ଗଳା ବିଜେପିର ଜଣେ ବରିଷ୍ଠ ନେତାଙ୍କୁ ଦେବାପାଇଁ ଯୋଜନା ରହିଛି।
ଉକ୍ତ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚ୍ଚଦେବ କହିଛନ୍ତି, ଅରବିନ୍ଦ କେଜ୍ରିୱାଲଙ୍କ ‘ଶିଶ ମହଲ’ ଶେଷରେ ସିଲ୍ ହେଲା। ସଚ୍ଚଦେବ ଦାବି କରିଛନ୍ତି ଯେ ଏହି ବଙ୍ଗଳାରେ ଅନେକ ଗୁପ୍ତ ଜିନିଷ ସବୁ ଲୁଚାଇ ରଖାଯାଇଛି। ସଚଦେବ କହିଛନ୍ତି, ୨ଟି ଛୋଟ ଟ୍ରକ୍ରେ କେଜ୍ରିୱାଲ କିଛି ଜିନିଷ ପତ୍ର ନେଇ ଭଲ ଡ୍ରାମା କଲେ। ସମସ୍ତେ ଜାଣନ୍ତି ଯେ ଏହି ବଙ୍ଗଳା ଏ ପର୍ଯ୍ୟନ୍ତ ତାଙ୍କ ଅକ୍ତିଆରରେ ଅଛି। ଯେଉଁ ଭଳି ଢଙ୍ଗରେ କେଜ୍ରିୱାଲ ଆତିଶୀଙ୍କୁ ବଙ୍ଗଳା ହସ୍ତାନ୍ତର କରିଥିଲେ ତାହା ଅସାମ୍ବିଧାନିକ। କାରଣ ଆତିଶୀଙ୍କୁ ପୂର୍ବରୁ ଏକ ବଙ୍ଗଳା ଦିଆଯାଇଛି। ଏହାପରେ ବି ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଙ୍ଗଳା କାହିଁକି ଦିଆଗଲା। ଏହି ବଙ୍ଗଳାରେ ଅନେକ ଗୁପ୍ତ ରହସ୍ୟ ଲୁଚି ରହିଛି। ଉଲ୍ଲେଖଯୋଗ୍ୟ, ଅରବିନ୍ଦ କେଜ୍ରିୱାଲ ଗତ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ଗତ ଶୁକ୍ରବାର ସେ ତାଙ୍କ ସରକାରୀ ବାସଭବନ ଛାଡ଼ିଥିଲେ।