ନୂଆଦିଲ୍ଲୀ: ଆସିଛି ରଙ୍ଗର ପର୍ବ ହୋଲି । ସାରା ଦୁନିଆ ପାଲଟିଛି ରଙ୍ଗ ରଙ୍ଗୋଲି । ଚାରିଆଡେ ରଙ୍ଗର ପର୍ବକୁ ନେଇ ଉତ୍ସାହ ଜମିଥିବା ବେଳେ ରାଜନୀତିରେ ରଙ୍ଗ ଲାଗିଛି, ରାଜନେତା ବି ରଙ୍ଗ ଖେଳିଛନ୍ତି । ବ୍ୟସ୍ତ ବହୁଳ ଜୀବନ ଭିତରୁ ବାହାରି ଫଗୁ ଖେଳିଛନ୍ତି ନେତା ଓ ମୁଖ୍ୟମନ୍ତ୍ରୀ ।
ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା କୁନିକୁନି ପିଲାଙ୍କ ସହ ହୋଲି ଖେଳିଛନ୍ତି । ଆଶା କିରଣ ସେଲ୍ଟର ହୋମକୁ ଯାଇ ସେଠାରେ ଥିବା ବାପାଛେଉଣ୍ଡ ପିଲାଙ୍କ ସହ ରଙ୍ଗର ପର୍ବ ପାଳିଛନ୍ତି ରେଖା । ଏଥିସହ ଦିଲ୍ଲୀବାସୀଙ୍କୁ ହୋଲି ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି । ସୁରକ୍ଷିତ ରହି ବହୋଲି ଖେଳିହା ସହ, ରଙ୍ଗ ପାଇଁ ଯେମିତି ପାଣି ନଷ୍ଟ ନହୁଏ ସେଥିପାଇଁ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେପଟେ ବାଜା ବଜାଇ, ଝାଞ୍ଜ ବଜାଇ ହୋଲି ପାଳିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ହୋଲି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ପାଳିତ ହେଉଥିବା ହୋଲି ଉତ୍ସବରେ ଧୂମ ମଜା ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଇତି ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଆରମ୍ଭ ହୋଇ ଗଲାଣି ହୋଲି ଖେଳ ।