ସତ୍ୟେନ୍ଦ୍ର ଜୈନ ଜଣେ ଦେଶଭକ୍ତ, ତାଙ୍କୁ ପଦ୍ମ ବିଭୂଷଣ ଦିଆଯିବା ଉଚିତ: କେଜ୍ରିୱାଲ

ନୂଆଦିଲ୍ଲୀ: ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇଛନ୍ତି ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ସେ ଗିରଫ ହେବା ପରେ ଏବେ ମୁହାଁମୁହିଁ ହୋଇଛନ୍ତି ଆପ୍-ବିଜେପି। ବିଜେପି ଜୈନଙ୍କୁ ନକଲି କମ୍ପାନିର ମାଲିକ ବୋଲି କହୁଥିବା ବେଳେ ସତ୍ୟେନ୍ଦ୍ର ଜୈନ୍ ଜଣେ ଦେଶଭକ୍ତ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏହା ସହ ସତ୍ୟେନ୍ଦ୍ର ଜୈନଙ୍କ ଭଳି ବ୍ୟକ୍ତିଙ୍କୁ ପଦ୍ମ ବିଭୂଷଣ ଦିଆଯିବା ଦରକାର ବୋଲି ଅରବିନ୍ଦ କେଜ୍ରିୱାଲ କହିଛନ୍ତି।

କେଜ୍ରିୱାଲ କହିଛନ୍ତି ଯେ, ସତ୍ୟେନ୍ଦ୍ର ଜୈନ ଦିଲ୍ଲୀକୁ ମୋହଲ୍ଲା କ୍ଲିନିକ୍ ଦେଇଛନ୍ତି, ଯେଉଁଠି ଲୋକଙ୍କର ମାଗଣା ଚିକିତ୍ସା କରାଯାଉଛି। ଏଥିପାଇଁ ସାରା ଦେଶ ତାଙ୍କୁ ନେଇ ଗର୍ବିତ ହେବା ଦରକାର। ଏନେଇ ତାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବା ଉଚିତ୍। ତାଙ୍କ ଉପରେ ଲାଗିଥିବା ଆରୋପର ଯାଞ୍ଚ ହେଉ। ସିବିଆଇକୁୁ କିଛି ମିଳିନଥିଲା କି ଇଡିକୁ ବି କିଛି ମିଳିବ ନାହିଁ।

ଉଲ୍ଲେଖଯୋଗ୍ୟ, ଅର୍ଥ ହେରଫେର ମାମଲାରେ ମେ’ ୩୦ରେ ଗିରଫ ହେ‌ାଇଥିଲେ ଦିଲ୍ଲୀର ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ। ଅର୍ଥ ହେରଫେର ମାମଲାରେ ଆଜି ତାଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଥିଲା। ଆମ୍ ଆଦମୀ ପାର୍ଟି (ଆପ୍) ନେତା ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଇଡି କରିଥିବା ଅନୁସନ୍ଧାନରୁ ଜଣାପଡିଥିଲା ଯେ ୨୦୧୫-୧୬ ମସିହାରେ ଯେତେବେଳେ ଜୈନ ଜଣେ ସରକାରୀ କର୍ମଚାରୀ ଥିଲେ, ସେତେବେଳେ ତାଙ୍କ ମାଲିକାନାରେ ଥିବା ତଥା ତାଙ୍କ ଦ୍ବାରା ନିୟନ୍ତ୍ରିତ କମ୍ପାନି ହାୱାଲା ନେଟୱାର୍କ ମାଧ୍ୟମରେ ସେଇ କମ୍ପାନିରୁ ୪.୮୧ କୋଟି ଟଙ୍କା ନେଇଥିଲା। ୨୦୧୭ରେ ଆୟରୁ ଅଧିକ ସମ୍ପତ୍ତି ରଖିଥିବା ଅଭିଯୋଗରେ ତାଙ୍କ ବିରୋଧରେ ସିବିଆଇ ଏତଲା ରୁଜୁ କରିଥିଲା। ଏବେ ଏହାର ତଦନ୍ତ କରି ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର